ପୁଣି ଲାଗିଲା କଟକଣା : ଡିଜେ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ
ଏଣିକି ପ୍ରସେସନରେ ଡିଜେ କି ବାଣ ଫୁଟିପାରିବ ନାହିଁ : ଡିସିପି
ଭୁବନେଶ୍ୱର : ଏଣିକି ରାଜଧାନୀରେ ବାହାଘର କରୁଥିଲେ ହୁସିଆର । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବାହାଘର ବେଳେ ଡିଜେ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ।
ଏପରି ଘଟଣା ଦେଖିଲେ ୦୬୭୪୨୫୪୦୨୯୪ ରେ କଲ କରି ଜଣାଇଲେ ପୋଲିସ ପହଞ୍ଚି ଫାଇନ ଲଗାଇବା ସହ ବନ୍ଦ କରିପାରେ ଏପରି ବାଣ ଓ ବାଜା। ଏଥିପାଇଁ ଡିସିପି ଅଫିସର ଲାଇସେନ୍ସ ସେଲକୁ ଆଲର୍ଟ ଅରାଯାଇଛି । ଯେଉଁମାନେ ବାହାଘର ପାଇଁ ଅନୁମତି ଆଣୁଛନ୍ତି ସେଥିରେ ବାଣ ଫୁଟାଇବା ବା ବାଜା ବଜାଇବା ପାଇଁ ଅନୁମତି ଦିଆଯାଉନାହିଁ। ତେଣୁ ଡିସିପି ଅଫିସରୁ ବାହାଘର ପାଇ ଲାଇସେନ୍ସ ନେଉଥିବା ଲୋକଙ୍କ ତଥ୍ୟ ସ୍ଥାନୀୟ ଥାନାକୁ ଜଣାଇ ଦିଆଯିବ। ଯଦି କେହି ଏହି ନିୟମ ଉଲଙ୍ଘନ କରୁଛନ୍ତି, ତେବେ ଲାଉଡସ୍ପିକର ଓ ଏକ୍ସପ୍ଲୋସିଭ ଆକ୍ଟରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।