ଆଜି ୭ ଜିଲାରେ ପ୍ରବଳ ବର୍ଷ ନେଇ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ଓ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସାତୋଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ, ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହାସହ ଆଉ କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି। ବିଜୁଳି ଘଡଘଡିରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ ।
ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି। ଅନ୍ୟପଟେ ସାମୁଦ୍ରିକ ପବନ ଆସୁନ ଥିବାରୁ ତାପମାତ୍ରା ମଧ୍ଯ ହ୍ରାସ ହେଉନାହିଁ। ପ୍ରକାଶ ଥାଉ କି, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ ୭୭୩. ୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୮୪୫. ୮ ମିଲିମିଟର ତୁଳନାରେ ଏହା ୯ ପ୍ରତିଶତ କମ୍ ଅଟେ । ଏହି ସମୟ ମଧ୍ୟରେ ୨ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।