ଆମକୁ ମରିବାକୁ ଛାଡ଼ିଦିଅନି : ସମଗ୍ର ଦୁନିଆର ନେତାଙ୍କୁ ଆଫଗାନ କ୍ରିକେଟର ରାଶିଦ ଖାନଙ୍କ ଗୁହାରି
ନୂଆଦିଲ୍ଲୀ : ଆଫଗାନିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ତାଲିବାନ ଗୋଟିଏ ପରେ ଗୋଟିଏ ରାଜ୍ୟର ରାଜଧାନୀ କବଜା କରିବାରେ ଲାଗିଛି। ଅନ୍ୟପଟେ ଆମେରିକା ସମେତ ବିଭିନ୍ନ ଦେଶ ନିଜର ଲୋକଙ୍କୁ ଆଫଗାନିସ୍ତାନରୁ କାଢିବାରେ ଲାଗିଛନ୍ତି। ଏହା ମଧ୍ୟରେ ଆଫଗାନିସ୍ତାନର ଦିଗ୍ଜ କ୍ରିକେଟ୍ ଖେଳାଳି ରାଶିଦ ଖାନ ସାରା ଦୁନିଆର ନେତାଙ୍କୁ ଅପିଲ୍ କରିଛନ୍ତି। ରାଶିଦ ବଡ ମାର୍ମିକ ଶବ୍ଦରେ ଟ୍ଵିଟ୍ କରି ଗୁହାରି କରିଛନ୍ତି ଯେ, ଆମକୁ ସମସ୍ତେ ମରିବାକୁ ଛାଡି ଦେଇଛନ୍ତି। ଉଲ୍ଲେଖନୀୟ ଗତ କିଛି ଦିନ ହେବ ଆଫଗାନିସ୍ତାନରେ ତାଲିବାନର ପ୍ରକୋପ ବଢିବାରେ ଲାଗିଛି। ତାଲିବାନ ଗତ ଚାରି ଦିନରେ ଛଅଟି ପ୍ରାନ୍ତୀୟ ରାଜଧାନୀ ଓ ଅନେକ ସହର ଉପରେ କବଜା କରିଛନ୍ତି। ପରିସ୍ଥିତି ଏବେ ସଙ୍କଟମୟ ରହିଛି ଯେ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ନିଜ ଦେଶର ଅବସ୍ଥାରେ ସୁଧାର ଆଣିବା ପାଇଁ ପ୍ରସିଦ୍ଧ କ୍ରିକେଟ୍ ଖେଳାଳି ରାଶିଦ ଖାନ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି। ସେ ଟ୍ଵିଟରରେ ଲେଖିଛନ୍ତି, ସମଗ୍ର ଦୁନିଆର ପ୍ରିୟ ନେତା। ମୋ ଦେଶ ସଙ୍କଟରେ। ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ମହିଳା ଓ ଶିଶୁଙ୍କ ହତ୍ୟା କରାଯାଉଛି। ପ୍ରତି ଦିନ ଲୋକେ ସହିଦ ହେଉଛନ୍ତି। ଘର ଓ ସଂପତ୍ତି ଧ୍ଵଂସ କରି ଦିଆଯାଉଛି। ହଜାର ହଜାର ଲୋକ ନିଜର ଘର ଛାଡିବାକୁ ବିବଶ ହୋଇ ପଡିଛନ୍ତି। ଏମିତି ଅବସ୍ଥାରେ ଆମକୁ ଏକାକୀ ଛାଡି ଦିଅନ୍ତୁ ନାହିଁ। ଆଫଗାନ ଲୋକଙ୍କ ହତ୍ୟା ଓ ଆଫଗାନିସ୍ତାନକୁ ବରବାଦ ହେବାରୁ ରକ୍ଷା କରନ୍ତୁ। ଆମେ ଶାନ୍ତି ଚାହୁଁଛୁ। ଏହିପରି ବିଶ୍ଵ ସମୁଦାୟକୁ ମାର୍ମିକ ଏବଂ ଭାବୁକ ନିବେଦନ କରିଛନ୍ତି ରାଶିଦ ଖାନ। ନିଜ ଟ୍ଵିଟରରେ ରାଶିଦ ଆଫଗାନିସ୍ତାନ ଜାତୀୟ ପତାକା ବ୍ୟବହାର କରିଛନ୍ତି। ଏଥିସହ ହାତ ଯୋଡିବାର ଚିହ୍ନ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ରାଶିଦ ଖାନଙ୍କ ଭାରତ ସମେତ ସମଗ୍ର ବିଶ୍ଵରେ କୋଟି କୋଟି ସଂଖ୍ୟାରେ ପ୍ରଶଂସକ ଅଛନ୍ତି। ସେ ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ସନରାଇଜର୍ସ ହାଇଦ୍ରାବାଦର ପ୍ରମୁଖ ଖେଳାଳି।