ବଡ଼ଦାଣ୍ଡରେ ପାଣି ଭାସୁଛି : ଲଗା ନାହିଁ କି ପଘା ନାହିଁ
ପୁରୀ : ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୪ ଘଂଟିଆ ପାନୀୟ ଜଳ ଯୋଗାଣ ପାଇଁ ଡ଼୍ରିଙ୍କ ଟୁ ଟ୍ୟାପ ବ୍ୟବସ୍ଥା କରାଯାଇଛି । ଦିନକୁ ଦିନ ଏହି ବ୍ୟବସ୍ଥା ଫେଲ ମାରୁଥିବା ଦେଖିବାକୁ ମିଳୁଛି । ଅନେକ ଷ୍ଟାଣ୍ଡ ପୋଷ୍ଟରେ ପାଣି ଆସୁନଥିବା ବେଳେ କେତେକ ସ୍ଥାନରେ ଟ୍ୟାପ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି । ଅନବରତ ୨୪ ଘଂଟିଆ ଟ୍ୟାପରୁ ୨୪ ଘଂଟା ପାଣି ଝରୁଥିବା ଦେଖିବାକୁ ମିଳିଛି । ଟ୍ୟାପ ସମ୍ମୁଖରେ ଉଠାଦୋକାନ ରହିଥିବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଟ୍ୟାପ ପାଣି ପାଇବାରୁ ବଞ୍ଛିତ ହେଉଛନ୍ତି । ଟ୍ୟାପରୁ ଅନବରତ ପାଣି ଗଳୁଥିବାରୁ ନିକଟ ଦୋକାନି ତା ଉପରେ ଜରି ଅଖା ଘୋଡ଼େଇ ଦେଇଥିବା ଦେଖିବାକୁ ମିଳିଛି । ୱାଟକୋ ପକ୍ଷରୁ ଜଳସାଥୀ, ଜଳ ପରିଦର୍ଶିକା ବ୍ୟବସ୍ଥା କରିଥିବା ବେଳେ ସପ୍ତାହ ସପ୍ତାହ ଧରି ଚେକିଂ କରାଯାଉନଥିବାରୁ ଅଯଥାରେ ଜଳ ବ୍ୟୟ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଡ଼୍ରିଙ୍କ ଟୁ ଟ୍ୟାପ ବ୍ୟବସ୍ଥା ପୁରୀରେ ଫେଲ ମାରିଛି ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି ।