ପୌରାଞ୍ଚଳର ୱାର୍ଡ଼ ନଂ. ୧୯ : ସଫା ହେଉନି ଡ୍ରେନ୍, ଉଠୁନି ଅଳିଆ
ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳର ପ୍ରମୁଖ ୱାର୍ଡ଼ ହେଉଛି ୧୯ ନମ୍ବର । ଏଥିରେ ରେଳ ଷ୍ଟେସନ ଠାରୁ ଆରମ୍ଭ କରି ଫାଣ୍ଡି ଛକରୁ ଅଦାଲତ୍ ଯାଏ, ଷ୍ଟେସନ ଛକରୁ ପୋଲିସଲାଇନ୍ ଛକ, ପୋଲିସଲାଇନ୍ ଛକରୁ ଏସ୍ପି ଅଫିସ୍ ସାମ୍ନା ପର୍ଯ୍ୟନ୍ତ, ଭାସ୍କରଗଞ୍ଜ, ତେଲେଙ୍ଗାସାହି ଓ ଅଙ୍ଗାରଗଡ଼ିଆ (ଆଂଶିକ) କଲ୍ୟାଣନଗର, ସାହିନଗର, ରେଲୱେ କଲୋନୀ ଆଦି ଅଞ୍ଚଳ ରହିଛି । ସହରର ମୁଖ୍ୟ ରାସ୍ତା ଓଟି ରୋଡ୍କୁ ଛାଡ଼ି ଦେଲେ ଅନ୍ୟ ରାସ୍ତାଗୁଡିକରେ ଡ୍ରେନ୍ ନଥିବା ଏବଂ ଯାହା ରହିଛି ତାହାର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଉଛି । ଡ୍ରେନ୍ରୁ ଯାଉଥିବା ପାଣିଗୁଡ଼ିକ ରାସ୍ତା ଉପରେ ଚାଲୁଥିବା ବେଳେ ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ପାଣି ଦେଖିବାକୁ ମିଳେ । ଅନ୍ୟପକ୍ଷରେ ଷ୍ଟେସନ୍ ଛକରୁ ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିଲେ ମଧ୍ୟ ରାତ୍ରିରେ ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟି ଥିବାବେଳେ ପାଶ୍ୱର୍ରେ ଥିବା ଅର୍ଦ୍ଧନିର୍ମିତ ଦୋକାନ ଘର ଦୁର୍ବୃତ୍ତ ଓ ନିଶାଡିଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଛି । ବିଭିନ୍ନ ସମୟରେ ଅଭିଯୋଗ ପରେ ମଧ୍ୟ ସମସ୍ୟା ଦୂର ହେବା ନାଁ ଧରୁନି ।
୧୯ନଂ. ୱାର୍ଡ଼ରେ ୫୩୬ ପରିବାକୁ ନେଇ ଗଠିତ ହୋଇଥିବା ବେଳେ ୧୩୫୭ ପୁରୁଷ ଓ ୧୩୭୦ ମହିଳାଙ୍କୁ ମିଶାଇ ମୋଟ୍ ୨୭୨୭ ଜଣ ଭୋଟର ରହିଛନ୍ତି । ଏହି ଅଞ୍ଚଳ ସହରବାସୀଙ୍କ ପାଇଁ ବାସୋପଯୋଗୀ ହୋଇଥିବା ବେଳେ ଜନବହୁଳ ଅଞ୍ଚଳ ଅଟେ । ସବୁବେଳେ ରାସ୍ତାଘାଟ ଭିଡ଼ ରହିବା ସହ ଏହି ୱାର୍ଡ଼ରେ ସପିଂ ମଲ୍ ଠାରୁ ଆରମ୍ଭ କରି ବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅଫିସ୍ ଭର୍ତ୍ତି ହୋଇ ରହିଛି । ପ୍ରକୃତରେ ଏହି ଅଞ୍ଚଳରେ ୨୫ହଜାରରୁ ଉର୍ଦ୍ଧ୍ୱ ଲୋକ ବାହାରୁ ଆସି ବସବାସ କରୁଛନ୍ତି । ମାତ୍ର ୱାର୍ଡ଼ରେ ଡ୍ରେନ୍ ସଫା ନ ହେବା ଓ ସଠିକ୍ ସମୟରେ ଅଳିଆ ନ ଉଠା ହେବା, ମହାନାଳ ବି ବର୍ଷ ବର୍ଷ ଧରି ସଫା ନ ହେବା ଏଠାକାର ପ୍ରମୁଖ ସମସ୍ୟା ସାଜିଛି । ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇନପାରି ଲୋକଙ୍କ ଘର ଭିତରେ ପଶୁଛି । ସେମିତି ୱାର୍ଡ଼ରେ ଅଳିଆ ପକାଇବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଡଷ୍ଟବିନ୍ ବି ଦିଆଯାଇ ନାହିଁ । ଲୋକେ ବାଧ୍ୟ ହୋଇ ରାସ୍ତା ଉପରେ ଅଳିଆ ଆଣି ଫିଙ୍ଗୁଛନ୍ତି । ପ୍ରତିଦିନ ଅଳିଆ ନ ଉଠିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଅନ୍ୟପକ୍ଷରେ ୱାର୍ଡ଼ର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉ ନାହିଁ । ଷ୍ଟେସନ୍ ଛକରୁ ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ଭିତରେ ସୌନ୍ଦର୍ଯ୍ୟକରଣ କରାଯାଉ ନାହିଁ । ସେଥିପାଇ୍ୟ ଡିଭାଇଡର ଏବେ ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଅସହାୟଙ୍କୁ ଥଇଥାନ୍ କରାଯାଉ ନାହିଁ କି ଡିଭାଇଡର୍ ଭିତରେ ‘ମୁକ୍ତା’ ଯୋଜନାରେ ଗଛ ଲଗାଯାଉ ନାହିଁ । ଠିକ୍ ସେହିପରି ୱାର୍ଡ଼ରେ ଯେଉଁ ନଳକୂପ ରହିଛି, ପାଣି ବ୍ୟବହାର ଉପଯୋଗୀ ନୁହେଁ । ପାଣିରେ ଅଧିକ ଆଇରନ୍ ଆସୁଥିବା ବେଳେ ୱାର୍ଡ଼ବାସୀ ଏହାକୁ ବ୍ୟବହାର କରି ହେଉନଥିବାର ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି ।