ପଞ୍ଜାବର ସମସ୍ତ ୧୧୭ଟି ଆସନରେ ମତଦାନ
ପଞ୍ଜାବ : ଆଜି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୨.୧୪ କୋଟି ଭୋଟର ୧୧୭ଟି ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ୧୧୭ଟି ଆସନରେ ୧,୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ । ପ୍ରାର୍ଥୀମାନଙ୍କ ମଧ୍ୟରେ ୯୩ ମହିଳା ମଧ୍ୟ ସାମିଲ ଅଛନ୍ତି । ସକାଳ ୮ଟାରୁ ମତଦାନ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟ୍ ଗଣନା ମାର୍ଚ୍ଚ ୧୦ରେ ହେବ । ଏଥର ପଞ୍ଜାବରେ କଂଗ୍ରେସ, AAP, SAD-BSP ମେଣ୍ଟ, ବିଜେପି- PLC-SAD (ୟୁନାଇଟେଡ୍) ଏବଂ ବିଭିନ୍ନ କୃଷକ ସଂଗଠନର ରାଜନୈତିକ ୱିଙ୍ଗ୍ ସଂଯୁକ୍ତ ସମାଜ ମୋର୍ଚ୍ଚା ମଧ୍ୟରେ ବହୁମୁଖୀ ଲଢ଼େଇ ଚାଲିଛି ।
ଚଳିତ ନିର୍ବାଚନରେ ଯେଉଁମାନଙ୍କର ନିର୍ବାଚନୀ ଭାଗ୍ୟ ବିପଦରେ ରହିଛି, ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ଆମ୍ ଆଦମୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାଗବତ ମାନ, କଂଗ୍ରେସ ପଞ୍ଜାବ ୟୁନିଟ୍ ସଭାପତି ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଲୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ମୁଖ୍ୟ ସାମିଲ ଅଛନ୍ତି । ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ, ବିଜେପିର ପଞ୍ଜାବ ୟୁନିଟର ସଭାପତି ଅଶ୍ୱନୀ ଶର୍ମା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ସାମ୍ପଲା ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।