ମିଜୋରାମ ଓ ଛତିଶଗଡ଼ରେ ମତଦାନ ଆରମ୍ଭ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
ନୂଆଦିଲ୍ଲୀ : ଆଜି ଛତିଶଗଡ଼ ଓ ମିଜୋରମରେ ମତଦାନ। ମିଜୋରାମର ସମସ୍ତ ୪୦ଟି ଆସନ ଓ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଆରମ୍ଭ ହୋଇଛି। ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ଏଥିମଧ୍ୟରେ ନକ୍ସଲ ପ୍ରଭାବିତ ୭ଟି ଜିଲ୍ଲା ରହିଛି । ଛତିଶଗଡର ଅବଶିଷ୍ଟ ୭୦ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ନଭେମ୍ବର ୧୭ରେ ହେବ। ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ମୋଟ ୪୦ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି । ନିର୍ବାଚନରେ ୧୭୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କିଛି ସମୟ ପୂର୍ବରୁ ଭୋଟ୍ ଦେଇଛନ୍ତି। ସେ ଆଇଜାୱଲ୍ ଉତ୍ତର-୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି। ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋରାମ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏମ୍ଏଫ୍), ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ଏବଂ କଂଗ୍ରେସ ସହ ୪୦ଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ୨୩ଟି ଓ ଆମ୍ ଆଦମୀ ପାର୍ଟି (ଆପ୍) ୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଚିତ୍ରକୋଟ ଆସନରୁ କଂଗ୍ରେସ ପିସିସି ସଭାପତି ତଥା ସାଂସଦ ଦିପକ ବାଜି, କୋଣ୍ଟାରୁ ମନ୍ତ୍ରୀ କୱାସି ଲଖମା, କୋଣ୍ଡାଗାଓଁରୁ ମୋହନ ମକରାମ, ଦାନ୍ତେୱାଡା ଆସନରୁ ଛବିନ୍ଦ୍ର କର୍ମା। ସେହିପରି ବିଜେପିର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରାଜନନ୍ଦଗାଁଓ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ନାରାୟଣପୁରରୁ କେଦାର କଶ୍ୟପ, ବିଜାପୁରରୁ ମହେଶ ଗାଗଡା ରହିଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେପଟେ ଆଜି ମିଜୋରମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟର ୮ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ୧୨୭୬ଟି ପୋଲିଂ ବୁଥ ଗଠନ ହୋଇଛି। ସୁରୁଖୁରୁରେ ନିର୍ବାଚନ କରାଇବା ପାଇଁ ୫୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। ରାଜ୍ୟର ୩୦ଟି ପୋଲିଂ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ନେତୃତ୍ୱରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଆଶା ବାନ୍ଧିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ଜୋରାମ ପିପୁଲ୍ସ ମୁଭମେଣ୍ଟ ଓ କଂଗ୍ରେସ ନିର୍ବାଚନରେ ଜିତି କ୍ଷମତା ହାସଲ କରିବା ନେଇ ଆଶାବାଦୀ ଅଛନ୍ତି। ସେହିପରି ୨୩ଟି ଆସନରେ ଲଢୁଥିବା ବିଜେପି ଓ ୪ଟି ଆସନରେ ଲଢୁଥିବା ଆପ୍ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ମତଦାନ ପୂର୍ବରୁ ବହୁ ପରିମାଣରେ ବ୍ରାଉଫନ ସୁଗାର ଓ ୪୦ କୋଟି ଟଙ୍କା ଜବତ ହୋଇଛି।