ମାତୃଭାଷାର କୌଣସି ମୁକାବିଲା ନାହିଁ : ରାଜ୍ୟପାଳ
ବାଲେଶ୍ୱର ଗସ୍ତରେ ଆସି ବିଷ୍ଣୁପୁର ଓ ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ
ବାଲେଶ୍ୱର : ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲେଶ୍ୱର ଗସ୍ତରେ ଆସି ବାହାନଗା ବ୍ଲକ ବିଷ୍ଣୁପୁର ସ୍ଥିତ ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟ ଏବଂ ସିମୁଳିଆ ବ୍ଲକ କ୍ଷୀରକୋଣା ସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ସମେତ ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ଘ୩.୧୫ମି ସମୟରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଷ୍ଣୁପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଜଗନ୍ନାଥଙ୍କ ତତ୍ୱ ଓ ତଥ୍ୟ ସମ୍ବଳିତ ଦାର୍ଶନିକ କଥାବସ୍ତୁକୁ ଭାଷଣ ପ୍ରସଙ୍ଗରେ ସେ ପ୍ରକାଶ କରିଥିଲେ । ଜଣେ ଶିକ୍ଷକ ସବୁବେଳେ ଏକ ଛାତ୍ର ହୋଇଥିବା ବେଳେ ଉଭୟ ଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଗଭୀର ସମନ୍ୱୟ ରକ୍ଷା କରିବା ସହ ବୌଦ୍ଧିକ ଜ୍ଞାନର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଯେକୌଣସି କାର୍ଯ୍ୟରେ ଗଭୀର ମନୋନିବେଶ କଲେ ଛାତ୍ରଛାତ୍ରୀମାନେ ଯାହା ଚାହିଁବେ ତାହା ହାସଲ କରିପାରିବେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାନ୍ୟବର ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ପୁରାତନ ଓ ବର୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ତାଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ । ବିଦ୍ୟାଳୟ ସମ୍ମୁଖରେ ନବନିର୍ମିତ ସ୍ମାରକୀକୁ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଅନାବରଣ କରାଯାଇଥିଲା । ଉତ୍ସବସ୍ଥଳରେ ପ୍ରାରମ୍ଭରେ ପୋଲିସ ବ୍ୟାଣ୍ଡଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ପରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ଭୂପାଳ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସପନ କୁମାର ଦେ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଉପଦେଷ୍ଟା ତଥା ମାନ୍ୟବର ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡା ବିଷ୍ଣୁପୁର ହାଇସ୍କୁଲର ପାରିପାଶ୍ୱର୍ିକ ଅବସ୍ଥା ଏବଂ ବିଷ୍ଣୁପୁର ମାଟିର ଗାରିମା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିପାରିଥିବା ଶିକ୍ଷାବିତ୍ ତଥା ମାନ୍ୟବର ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଷ୍ଣୁପୁର ଗାଁ ବିଦ୍ୟାଳୟ ଓ ଏହାର ସମସ୍ତ ପୁରୋଧାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ କରିବାକୁ ଏବଂ ଅଭିଭାବକମାନେ ନିଜ ପିଲାଙ୍କୁ ଭଲ ମଣିଷ କରିବା ପାଇଁ ସବୁବେଳେ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ଉପଦେଷ୍ଟାଙ୍କୁ ମଧ୍ୟ କମିଟି ତରଫରୁ ଉପଢୌକନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଷ୍ଣୁପୁର ହାଇସ୍କୁଲର ସ୍ମରଣିକାକୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ମଂଚ ସଂଚାଳକ ଭାବେ ଇଂ ସୁରେଶ କୁମାର ବେହେରା ଦାୟିତ୍ୱ ତୁଲାଇଥିଲେ । ବିଷ୍ଣୁପୁର ହାଇସ୍କୁଲ କାର୍ଯ୍ୟକ୍ରମ ପରେ ପରେ ମାନ୍ୟବର ରାଜ୍ୟପାଳ ସିମୁଳିଆ ବ୍ଲକ କ୍ଷୀରକୋଣା ସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥି ସହିତ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀର ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ସେ ପଂଚସଖା, ମା ରମାଦେବୀ, ବାଜିରାଉତ, ପଣ୍ଡିତ ଗୋପବନ୍ଧୁ, ବକ୍ସି ଜଗବନ୍ଧୁ ପ୍ରମୁଖଙ୍କ ତ୍ୟାଗ ଓ ସ୍ୱପ୍ନ ଉପରେ ଆଲୋକପାତ କରି ଯୁବ ସମାଜ ଚାହିଁଲେ ସମାଜରେ ପରିବର୍ତନ ସମ୍ଭବ ବୋଲି କହିଥିଲେ । ଯୁବକ ହିଁ କେବଳ ସ୍ୱାଭାବିକକୁ ଅସ୍ୱାଭାବାବିକ ଓ ଅସ୍ୱାଭାବିକ୍କୁ ସ୍ୱାଭାବିକ୍ କରିପାରିବ । ମାତୃଭାଷାରେ ଶିକ୍ଷା ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ମାତୃଭାଷାର କୌଣସି ମୁକାବିଲା ନାହିଁ । ଦକ୍ଷିଣ କୋରିଆ ଭଳି ଦେଶର ଉଦାହରଣ ଦେଇ ମାତୃଭାଷା ମାଧ୍ୟମରେ ହିଁ ସେହି ଦେଶ ଶ୍ରେଷ୍ଠ ଅର୍ଥନୈତିକ ଓ ଗଣତାନ୍ତ୍ରିକ ଦେଶ ହୋଇପାରିଥିବା ସେ ପ୍ରକାଶ କରିଥିଲେ । ଉଦ୍ୟୋଗର ଶ୍ରମୀକରଣ ସହିତ ଶ୍ରମର ଜାତୀୟକରଣ ହେବା ଉଚିତ୍ ବୋଲି ମନ୍ତବ୍ୟ ରଖିବା ସହିତ ବିଶ୍ୱଶାନ୍ତି ପାଇଁ ଦେଶ ଓ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ସେ ଆହ୍ୱାନ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ତଥା ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟି ସମ୍ପାଦକ ଶ୍ରୀ କାହ୍ନୁଚରଣ ବେହେରା ନିଜ ବକ୍ତବ୍ୟ ରଖିଥିଲେ । ପ୍ରଧାନଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ମାଝୀ ବିବରଣୀ ପାଠ କରିଥିଲେ । ମାନ୍ୟବର ରାଜ୍ୟ ପର୍ଯ୍ୟଟନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଉତ୍ସବରେ ଯୋଗ ଦେଇ ଯେଉଁଠି ଶିକ୍ଷା ରହିଛି ସେଇଠି ସମାଜ ଦିଗଦର୍ଶନ ପାଇଥିବା ମତବ୍ୟକ୍ତ କରିଥିଲେ । ନିଜ ବକ୍ତବ୍ୟରେ ସତ୍ୟମେବ ଜୟତେ ଭଳି ଶିକ୍ଷାମେବ ଜୟତେ ହେଉ ଏବଂ ସମାଜର ପରିବର୍ତନ ପାଇଁ ଶିକ୍ଷା ହିଁ ଗୋଟିଏ ବାଟ ବୋଲି ସେ କହିଥିଲେ । ଏହି ଅବସରରେ ପୂର୍ବତନ ଶିକ୍ଷକ ଶ୍ରୀ ଜଗବନ୍ଧୁ ବେହେରା ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ସେହିପରି ମାନ୍ୟବର ରାଜ୍ୟପାଳ ପ୍ରେ‘ସର ଗଣେଶୀ ଲାଲଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିବା ସହ ଉପଢୌକନ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପଟ୍ଟଚିତ୍ର ଆଙ୍କିଥିବା ଦୁଇ ପୁରାତନ ଛାତ୍ରଛାତ୍ରୀ ତାହା ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ‘ସୁବର୍ଣ୍ଣଶ୍ରୀ’କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଉନ୍ମୋଚନ କରିଥିଲେ । ଶ୍ରୀ ଜ୍ଞାନାନନ୍ଦ ସାଗର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ଶ୍ରୀ ନୀଲୁ ମହାପାତ୍ର, ପିଡି-ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ପୁଲିସ ଅଧିକାରୀ ମାନ୍ୟବର ରାଜ୍ୟପାଳଙ୍କ ବାଲେଶ୍ୱର ଗସ୍ତ ସମୟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ ।