ସୂଚନା ଅଧିକାର ଆଇନକୁ ଅବମାନନା : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ
ନୀଳଗିରି : ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍ ବଳରେ ମାଗିଥିବା ବେଳେ ଉକ୍ତ ତଥ୍ୟ ଦିଆଯିବ ନାହିଁ ବୋଲି କାର୍ଯ୍ୟାଳୟର ବଡ଼ବାବୁ ରୋକଠୋକ୍ ମନା କରିଦେଇଥିଲେ । ଫଳରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ସହ ଉଲ୍ଲଂଘନ କରାଯାଇଥିବା ପ୍ରତିବାଦରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଆସନ୍ତା ୨୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନୀଳଗିରି ଆଇଟିଡ଼ିଏ ଅଫିସ୍ ଆଗରେ ଧାରଣା ଦେବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ଶ୍ରୀ ଷଡ଼ଙ୍ଗୀ ଘଟଣା ବାବଦରେ ଏବଂ ଉକ୍ତ ବିଭାଗରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅର୍ଥକୁ ହରିଲୁଟ୍ କରିଥିବାରୁ ତଥ୍ୟ ଦେଉ ନଥିବାର ଅଭିଯୋଗ ଆଣିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।
ସୂଚନା ଯେ, ନୀଳଗିରିର ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ ସୂଚନା ଆଇନ ବଳରେ ନୀଳଗିରି ଆଇଟିଡିଏର ବିଭିନ୍ନ ପ୍ରକଳ୍ପ ଓ ବିଭିନ୍ନ ଯୋଜନା ବାବଦରେ ତଥ୍ୟ ମାଗିଥିଲେ । ତଥ୍ୟ ପ୍ରଦାନର ଅବଧି ଶେଷ ହେବା ପରେ ଅନେକ ବାର ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ଦିଅନ୍ତୁ ବୋଲି କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ କହିବା ପରେ ଆଜି କାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ । ଶେଷରେ ଶ୍ରୀ ଷଡ଼ଙ୍ଗୀ ଅଫିସ୍କୁ ତଥ୍ୟ ଆଣିବାକୁ ଯାଇଥିବା ବେଳେ ମୁଖ୍ୟ କିରାଣୀ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ରୋକଠୋକ ମନା କରିବା ସହ ପିଏଙ୍କ ସହ କଥାହେବାକୁ କହିଥିଲେ । ପରେ ପିଏଙ୍କ ସହ ଘଟଣା ବାବଦରେ ଫୋନରେ ଜଣାଇଥିଲେ । ମାତ୍ର କୌଣସି ସଫଳତା ମିଳି ନ ଥିଲା । ଏନେଇ ଗତ ୧୯ ତାରିଖରେ ଏକ ଖବରଦାତା ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ ଜଣାଇଥିଲେ ।