ଆଇପିଏଲରେ ବାୟୋବବଲ୍ ଉଲ୍ଲଂଘନ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ୧୫ତମ ସଂସ୍କରଣ । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଏଥର ଆଇପିଏଲରେ ବାୟୋବବଲ୍ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ବାୟୋବବଲ୍ ଉଲ୍ଲଂଘନ କଲେ ଖେଳାଳି ଏବଂ ଟିମ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ । ଯେଉଁ ଖେଳାଳି ଏହାର ଉଲ୍ଲଂଘନ କରିବେ ସେମାନଙ୍କୁ କୋଟିଏ ଟଙ୍କାର ଜରିମାନା ଦେବାକୁ ହେବ । ଏହା ସହିତ ଟିମ୍ର ପଏଣ୍ଟ ମଧ୍ୟ କାଟିଦିଆଯିବ ।
ନିୟମ ଉଲ୍ଲଂଘନ କରୁଥିବା ଖେଳାଳିଙ୍କ ପାଇଁ ନିୟମ ମୁତାବକ ପ୍ରଥମ ଥର ବାୟୋବବଲ ଉଲ୍ଲଂଘନ କଲେ, ୭ଦିନ ପାଇଁ ସଂପୃକ୍ତ ଖେଳାଳିଙ୍କୁ କ୍ବାରେଣ୍ଟାଇନ୍ରେ ରହିବା ସହିତ ନଖେଳିଥିବା ମ୍ୟାଚ୍ ଫି କଟାଯିବ ।ସେହିଭଳି ଦ୍ବିତୀୟ ଥର ଉଲ୍ଲଂଘନ କଲେ, ୭ଦିନ କ୍ବାରେଣ୍ଟାଇନ୍ ସହ ଗୋଟିଏ ମ୍ୟାଚ୍ରୁ ନିଲମ୍ବନ ହେବାକୁ ପଡିବ । ତୃତୀୟ ଥର ବାୟୋବବଲ୍ ନିୟମ ଉଲ୍ଲଂଘନ କଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ପଡିବ । ସେହିଭଳି କୌଣସି ପରିବାର ସଦସ୍ୟ ବାୟୋବବଲ୍କୁ ପ୍ରବେଶ କଲେ ମଧ୍ୟ ସଂପୃକ୍ତ ଖେଳାଳି କିମ୍ବା ଦଳୀୟ ସଦସ୍ୟ ୭ଦିନ ପାଇଁ କ୍ବାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ।
ସୂଚନା ଯେ, ପୂର୍ବରୁ ୨୦୨୧ ଆଇପିଏଲରେ ବାୟୋବବଲ୍ ଉଲ୍ଲଂଘନ କାରଣରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଫଳ ସ୍ବରୁପ ଅନେକ ଫ୍ରାଞ୍ଚାଇଜ୍ରେ କରୋନା ସଂକ୍ରମଣ ବଢିଥିଲା । ଏକାଧିକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ । ଏପରିକି ଅଧାରୁ ବନ୍ଦ ହୋଇଥିଲା ଟୁର୍ଣ୍ଣାମେଣ୍ଟ । ପରେ ସଂକ୍ରମଣ କମିବା ପରେ ୟୁଏଇରେ ହୋଇଥିବା ବାକି ମ୍ୟାଚ୍ । ସେହି କାରଣରୁ ଏବେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ବିସିସିଆଇ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି ।