‘ବିନ୍ୟାସ-୨୦୨୩’ ଉଦ୍ଘାଟିତ; ଅଂଶଗ୍ରହଣ କଲେ ୨୨୫ ଯୋଗ ଶିକ୍ଷାର୍ଥୀ
ବାଲେଶ୍ୱର : ବାଲେଶ୍ୱର ଏଡ଼ିଏମ୍ ଛକ ସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସହଯୋଗରେ ବାଲେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ନେଚର କିୟର ଏଣ୍ଡ ଯୋଗିକ୍ ସାଇନ୍ସ ଦ୍ୱାରା ପରିଚାଳିତ ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ପକ୍ଷରୁ ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତା ‘ବିନ୍ୟାସ-୨୦୨୩’ ଶନିବାର ଉଦ୍ଘାଟିତ ହୋଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ କାର୍ଯ୍ୟକ୍ରମ ସଂଯୋଜନା ସହିତ କଲେଜର ବିବରଣୀ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଚିତରଞ୍ଜନ ସାହୁ ଅଧ୍ୟକ୍ଷତା କରିବା ସହିତ ଏହି ଭଳି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମାନବ ସମାଜ ପ୍ରତି ଯୋଗ ଏକ ବରଦାନ ହୋଇଥିବା ବେଳେ ଏହାର ବହୁଳ ପ୍ରଚାର ପ୍ରସାର ସହିତ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହେଉଥିବା କହିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଧୁନିକ ଯୁଗରେ ଚିକିତ୍ସା ପ୍ରଣାଳୀ ଯେତେ ଆଗେଇଥିଲେ ବି ଭାରତୀୟ ସଂସ୍କୃତି ଉପରେ ଆଧାରିତ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଏବଂ ଯୋଗାଭ୍ୟାସ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗଭ୍ୟାସ କଲେ ମାନସିକ ସୁସ୍ଥତା ସହିତ ଶରୀର ସ୍ଥିର ଏବଂ ଶାନ୍ତ ରହିବ ବୋଲି ମତ ପ୍ରକାଶ କରିଥିଲେ । ଖବରଦାତା ସୃଷ୍ଟିଧର ପରିଡ଼ା, ସମିତିସଭ୍ୟା ଶାନ୍ତା ଦାସ, ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଜ୍ଞାନରଞ୍ଜନ ବେହେରା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶରୀର ଏବଂ ମନ ମଧ୍ୟରେ ଏକାଗ୍ରତା ରକ୍ଷା ସହିତ ଶାନ୍ତି ପ୍ରାପ୍ତି ତଥା ନିରୋଗ ଜୀବନ ଯାପନ ପାଇଁ ନିତ୍ୟ ଯୋଗାଭ୍ୟାସ କରିବା ଉଚିତ୍ ବୋଲି କହିଥିଲେ । ବାଲେଶ୍ୱର ଯୋଗ ସମିତିର ସମ୍ପାଦକ ସୁଜିତ ଜେନା ଶେଷରେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳର ଯୋଗ ମହାବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରୁ ୭୦ ଜଣ ଓ ରାଜ୍ୟ ବାହାରୁ ୩୦ ଜଣଙ୍କ ସମେତ ସ୍ଥାନୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ୍ ୨୨୫ଜଣ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗୀତା ପରିଚାଳନା ପାଇଁ ଦେଶର ବିଭିନ୍ନ ଅଞ୍ଚଳର ବିଚାରକ, କୋଚ୍ ଓ ରେଫରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରତିଯୋଗୀମାନେ ଯୋଗର ବିଭିନ୍ନ ଆସନ ପର୍ଯ୍ୟବେଶିତ ଶାରୀରିକ ପ୍ରଦର୍ଶନ କରିବେ । ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରୁ ଚମ୍ପିଆନ ବଛା ଯାଇ ସେମାନଙ୍କୁ ରବିବାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ହେଲଦି ଲାଇଫ ପକ୍ଷରୁ ସୂଚନା ଦିଆଯାଇଛି । ହେଲଦି ଲାଇଫ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଛନ୍ତି ।