ବିଶ୍ୱ ଚାମ୍ପିଅନସିପ୍ ଖେଳିପାରିବେ ଭିନେଶ ଫୋଗାଟ
- ଚେତାବନୀ ଦେଇ କ୍ଷମା କଲା କୁସ୍ତି ମହାସଙ୍ଘ
ନୂଆଦିଲ୍ଲୀ : ବିଶ୍ୱ ଚାମ୍ପିଅନସିପ୍ ଖେଳିପାରିବେ ଭିନେଶ ଫୋଗାଟ। ଭାରତୀୟ କୁସ୍ତି ମହାସଂଘ ବିନେଶଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ଭିନେଶ ଏବେ ପୁଣି ଭାରତ ପାଇଁ ଖେଳିପାରିବେ । ତାଙ୍କ ପାଖରେ ବିଶ୍ୱ ଚାମ୍ପିଅନସିପରେ ମଧ୍ୟ ସ୍ଥାନ ପକ୍କା କରିବାକୁ ସୁଯୋଗ ରହିଛି ।
ଟୋକିଓ ଅଲିମ୍ପିକର କ୍ୱାର୍ଟର ଫାଇନାଲ ମୁକାବିଲାରେ ମିଳିଥିବା ପରାଜୟ ପରେ ବିନେଶଙ୍କ ଅଡୁଆ ବଢିଥିଲା । ଭାରତୀୟ କୁସ୍ତି ମହାସଙ୍ଘ ଅନୁଶାସନ ଭାଙ୍ଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିବା ସହ ନୋଟିସ ପଠାଇଥିଲା । ଭିନେଶ ଏହାର ଜବାବ ଦେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ମହାସଙ୍ଘ ଉତ୍ତରରେ ଖୁସି ନଥିଲା । ମହାସଙ୍ଘର କହିବାନୁସାରେ, ଭିନେଶ ଓ ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଜବାବ ସନ୍ତୋଷଜନକ ନୁହେଁ । କିନ୍ତୁ ସଙ୍ଘ ଖେଳାଳିଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହୁଁଛି । ଯଦି ସେମାନେ ଭବିଷ୍ୟତରେ ପୁଣି ଭୁଲ କରନ୍ତି ତେବେ ଆଜୀବନ ପ୍ରତିବନ୍ଧକ ଲଗାଯାଇପାରେ । ସୂଚନାଯୋଗ୍ୟ, ଭିନେଶଙ୍କ ବିରୋଧରେ ଭାରତୀୟ ଖେଳାଳିଙ୍କ ସହ ଟ୍ରେନିଂ କରିନଥିବା ନେଇ ଅଭିଯୋଗ ଲାଗିଥିଲା । କ୍ୱାର୍ଟର ଫାଇନାଲରେ ମଧ୍ୟ ସେ କୁସ୍ତି ମହାସଙ୍ଘର ୟୁନିଫର୍ମ ପିନ୍ଧିନଥିଲେ । ୟୁନିଫର୍ମ ମାମଲାରେ ସେ ଭୁଲ କରିଥିବା ମାନିଥିଲେ ।