ବିଜୟ ହଜାରେ ଟ୍ରଫି : ଇତିହାସ ରଚିଲା ହିମାଚଳ ପ୍ରଦେଶ
ଜୟପୁର : ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛି ହିମାଚଳ ପ୍ରଦେଶ । ଫାଇନାଲରେ ତାମିଲନାଡୁକୁ ଭିଜେଡି ନିୟମରେ ୧୧ ରନରେ ହରାଇ ହିମାଚଳ ପ୍ରଦେଶ ପ୍ରଥମଥର ବିସିସିଆଇ ଘରୋଇ ଦିନିକିଆ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅନୁଷ୍ଠିତ ଟାଇଟଲ୍ ମୁକାବିଲାରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୩୧୪ ରନ୍ କରିଥିଲା । ଜବାବରେ ହିମାଚଳ ପ୍ରଦେଶ ୪୭.୩ ଓଭରରେ ୪ ୱିକେଟ୍ ହରାଇ ୨୯୯ ରନ୍ କରିଥିବା ବେଳେ ଖରାପ ଆଲୋକ ଯୋଗୁ ଖେଳ ଆଗକୁ ବଢ଼ିପାରିନଥିଲା । ଏହା ପରେ ଭିଜେଡି ଆଧାରରେ ହିମାଚଳକୁ ବିଜେତା ଘୋଷିତ କରାଯାଇଥିଲା । ଏଥିସହ ହିମାଚଳ ପ୍ରଥମଥର କୌଣସି ଘରୋଇ ଟୁର୍ଣ୍ଣାମେଂଟ ଜିତିଛି ।
ତାମିଲନାଡୁ ଦ୍ୱାରା ଧାର୍ଯ୍ୟ ୩୧୫ ରନର ଲକ୍ଷ୍ୟର ପିଛା କରୁଥିବା ହିମାଚଳ ପାଇଁ ଦମଦାର ବ୍ୟାଟିଂ କରିଥିଲେ ଓପ୍ନର ଶୁଭମ୍ ଅରୋରା । ଯିଏ ନିଜର ଶତକୀୟ ଇନିଂସ୍ ବଳରେ ହିମାଚଳକୁ ପ୍ରଥମଥର କୌଣସି ବିସିସିଆଇ ଟ୍ରଫି ଜିତିବାରେ ମୁଖ୍ୟ ଭୂମିକା ବହନ କରିଛନ୍ତି । ତାଙ୍କୁ ମଧ୍ୟ ମିଡଲ୍ ଅର୍ଡରରେ ଅମିତ୍ କୁମାର ଓ କ୍ୟାପଟେନ୍ ରିଶି ଧୱନ୍ ମଧ୍ୟ ଭରପୂର ସହଯୋଗ କରିଥିଲା । ଏକ ସମୟରେ ହିମାଚଳ ୯୬ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଏହି ସମୟରେ ଅମିତଙ୍କ ସହ ମିଶି ଶୁଭମ ଚତୁର୍ଥ ୱିକେଟ୍ ପାଇଁ ୧୪୮ ରନର ଭାଗିଦାରୀ କରିଥିଲେ । ଅମିତ୍ ୭୯ ବଲରେ ୬ ଚୌକା ସହ ୭୪ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ଧୱନ୍ ଧୂଆଁଧାର ବ୍ୟାଟିଂ କରିଥିଲେ । ଧୱନ ଓ ଶୁଭମ୍ ପଂଚମ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ । ହିମାଚଳର ସ୍କୋର ୪୭.୩ ଓଭରରେ ୨୯୯ ରନରେ ଥିବା ବେଳେ ଅମ୍ପାୟାର ଖରାପ ଆଲୋକ ଯୋଗୁ ଖେଳ ବନ୍ଦ କରିଥିଲେ । ଭିଜେଡି ଆଧାରରେ ହିମାଚଳକୁ ୪୭.୩ ଓଭରରେ ୨୮୯ ରନ୍ କରିବାର ଥିଲା । କିନ୍ତୁ ଦଳ ୧୦ ରନ୍ ଅଧିକ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା । ଶୁଭମ୍ ୧୩୧ ବଲରେ ୧୩ ଚୌକା ଓ ୧ ଛକା ସହ ୧୩୬ ଓ ଧୱନ୍ ୨୩ ବଲରେ ୫ ଚୌକା ଓ ୧ ଛକା ସହ ୪୨ ରନ୍ କରି ଅପରାଜିତ ଥିଲେ ।
ପୂର୍ବରୁ ଦିନେଶ କାର୍ତିକଙ୍କ ଶତକ ଓ ବାବା ଇନ୍ଦ୍ରଜିତଙ୍କ ଅର୍ଦ୍ଧଶତକ ବଳରେ ତାମିଲନାଡୁ ୩୧୪ ରନର ମଜଭୁତ୍ ସ୍କୋର ଛିଡ଼ା କରିଥିଲା । କାର୍ତିକ ୧୦୩ ବଲରେ ୮ ଚୌକା ଓ ୭ ଛକା ବଳରେ ୧୧୬, ବାବା ଇନ୍ଦ୍ରଜିତ ୭୧ ବଲରେ ୮୦ (୮ ଚୌକା, ୧ ଛକା), ଶାହରୁଖ ଖାନ୍ ୨୧ ବଲରେ ୨୧ ବଲରେ ୩ ଚୌକା ଓ ୩ ଛକା ସହ ୪୨ ଓ କ୍ୟାପଟେନ୍ ବିଜୟ ଶଙ୍କର ୨୨ ରନ୍ କରି କରିଥିଲେ । ହିମାଚଳ ପକ୍ଷରୁ ପଙ୍କଜ ଜୈସୱାଲ୍ ୪ଟି ଓ ଧୱନ୍ ୩ଟି ୱିକେଟ୍ ନେଇଥିଲେ ।