ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସଥିବା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରିଯାଇଛନ୍ତି । ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ପୋଲିସ୍ ଡିଜି ଅଭୟ ଓ ସାସଂଦ ସୁବାସ ସିଂହ ବିଦାୟ ଜଣାଇଥିଲେ । ଉପରାଷ୍ଟ୍ରପତି ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତ କାଳରେ ସାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ୫୦ ତମ ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ ।
ପ୍ରତ୍ୟାବର୍ତ୍ତନ କଲାବେଳେ ଉପରାଷ୍ଟ୍ରପତି ନିଜ ସାଥିରେ ଓଡିଶା ଗସ୍ତର ସ୍ମୃତି ସ୍ୱରୂପ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଫଟୋ ସାଥିରେ ନେଇଛନ୍ତି। ଆଜି ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କିଷନ କୁମାର ଓଡ଼ିଶା ଗସ୍ତର ସ୍ମୃତି ସ୍ୱରୂପ ଉପରାଷ୍ଟ୍ରପତିଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଫଟୋ ଚିତ୍ର ପ୍ରଦାନ କରିଥିଲେ। ଶ୍ରୀ ନାଇଡ଼ୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ସେ ସାରା ଦେଶରେ ପୂଜିତ। ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଆମର ପ୍ରାଚୀନ ମନ୍ଦିର ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତିର ଜୀବନ୍ତ ଐତିହ୍ୟ। ପ୍ରତ୍ୟେକ ବର୍ଷ ପୁରୀ ରଥଯାତ୍ରାକୁ ଭକ୍ତଗଣ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭଗବାନ ଜଗନ୍ନାଥଙ୍କର ଏହି ବାର୍ଷିକ ଯାତ୍ରା ଦେଖିବା ଲାଗି ସାରା ବିଶ୍ବରୁ ଭକ୍ତମାନେ ଆସିଥାନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି।