ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭେଣ୍ଡିଂ ଜୋନ୍ ବ୍ୟବସାୟୀ, ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଚେତାବନୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସିର ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ଉଦାରତା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭେଣ୍ଡିଂ ଜୋନ୍ରେ ବ୍ୟବସାୟ କରୁଥିବା ସମସ୍ତ ଦୋକାନୀ । ଫଳରେ ଏନ୍ଏସି ଅଫିସ୍ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ଏନ୍ଏସିର କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ଚାଲୁଥିବା ଡେଲି ମାର୍କେଟକୁ ଉଠାଇ ଆଣି ରାଡ଼ାର୍ ରାସ୍ତାରେ ନିର୍ମାଣଧୀନ ନୂତନ ଭେଣ୍ଡିଂ ଜୋନ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କୌଣସି ଦୋକାନୀ ବଡ଼ଦାଣ୍ଡ ରାସ୍ତାରେ ବେପାର କରିପାରିବେ ନାହିଁ ବୋଲି ଏନ୍ଏସି ପକ୍ଷରୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଗୁଣ୍ଡିଚା ବଜାରକୁ ସିଲ୍ କରାଯାଇଥିଲା । ସମସ୍ତ ଦୋକାନୀ ପ୍ରଶାସନ କଥାକୁ ସମ୍ମାନ ଜଣାଇ ନୂତନ ଭେଣ୍ଡିଂ ଜୋନ୍ରେ ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର କିଛି ଦିନ ପରେ କିଛି ଦୋକାନୀ ଭେଣ୍ଡିଂ ଜୋନରେ ମାନ୍ଦା ବେପାରକୁ ନେଇ ପୁନଃ ସେଠାରେ ବେପାର ନ କରି ଗୁଣ୍ଡିଚା ମନ୍ଦିର ନିକଟ ସମେତ ରାସ୍ତାକଡ଼ରେ ବେପାର ଆରମ୍ଭ କଲେ । ଫଳରେ ଗ୍ରାହକମାନେ ଭେଣ୍ଡିଂ ଜୋନ୍କୁ ନ ଯାଇ ରାସ୍ତା କଡ଼ ଦୋକାନୀ ଠାରୁ କିଣାବିକା କରିଥିଲେ । ଏଥିପାଇଁ ଭେଣ୍ଡିଂ ଜୋନ୍ରେ ବ୍ୟବସାୟ ମାନ୍ଦା ହେବାକୁ ଲାଗିଛି । ଯାହାକୁ ନେଇ ବହୁବାର ସ୍ଥାନୀୟ ପ୍ରଶାସନକୁ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଉଚ୍ଛେଦ ପାଇଁ ଲିଖିତ ଭାବେ ଜଣାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ଭେଣ୍ଡିଂ ଜୋନ୍ରେ ବ୍ୟବସାୟୀମାନେ ଆଗାମୀ ଦିନରେ ଏନ୍ଏସି ଅଫିସ୍ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି । ଭେଣ୍ଡିଂ ଜୋନ୍ରେ ଚୋରଙ୍କ ପାର୍ଦୁଭାବ ବଢ଼ି ଚାଲିଥିବା ବେଳେ ଗୋଟାଏ ଜେନେରେଟର, ଗୋଟିଏ ଇନର୍ଭଟର ଚୋରି ହୋଇଯାଇଛି । ଏପରି ଏନ୍ଏସି ପକ୍ଷରୁ ଭେଣ୍ଡିଂ ଜୋନ୍ଟି ପରିଷ୍କାର କରାଯାଇ ନ ଥିବାର ଜଗଦିଶ କୁମାର ଦାଶ, ଚିତରଞ୍ଜନ ଜେନା, ମହେଶ୍ୱର ସାହୁ, ତ୍ରିଲୋଚନ ମହାପାତ୍ର, ପ୍ରଦୀପ ଦୃଷ୍ଟି, ରମେଶ ସାହୁ, ଚକ୍ରଧର ପ୍ରଧାନ, ମଧୁସୂଦନ ସାହୁ ସମେତ ବହୁ ଦୋକାନୀ ଅଭିଯୋଗ କରିଛନ୍ତି ।