ବାରାଣସୀ ସିରିଏଲ ବ୍ଲାଷ୍ଟ ମାମଲା : ଅଭିଯୁକ୍ତ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ୧୬ ବର୍ଷ ପୁରୁଣା ବାରାଣସୀ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ । ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ ଆତଙ୍କୀ ୱାଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଅନ୍ୟ ଏକ ମାମଲାରେ ତାକୁ ଖଲାସ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତି ୱାଲିଉଲ୍ଲାହକୁ ଶନିବାର ଅପରାହ୍ମରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା । ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବାରାଣସୀର ସଂକଟମୋଚନ ମନ୍ଦିରରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବଲିଉଲ୍ଲାହ ଦୋଷୀ ଥିବା ଘୋଷଣା କରିଥିଲେ । ଏହି ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ଦଶାଶ୍ୱମେଘ ଘାଟରେ କୁକର ବୋମା ମିଳିବା ଘଟଣାରେ ମଧ୍ୟ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ ହୋଇଛି । ଏଠାରେ ବିସ୍ଫୋରଣ ହେବା ପୂର୍ବରୁ ବୋମାକୁ ଉଦ୍ଧାର କରାଯାଇଥିଲା । ତୃତୀୟ ମାମଲାରେ ରେଲୱେ କ୍ୟାଂଟ ନିକଟରେ ବିସ୍ଫୋରଣ ହୋଇଥିଲା । ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ସାକ୍ଷୀ ଅଭାବ ଯୋଗୁଁ ୱାଲିଉଲ୍ଲାହକୁ କୋର୍ଟ ଏହି ମାମଲାରୁ ମୁକ୍ତ କରିଛନ୍ତି । ୨୦୦୬ ମସିହାରେ ବାରାଣସୀରେ ସଂକଟମୋଚନ ମନ୍ଦିର ଏବଂ କ୍ୟାଂଟ ରେଲୱ ଷ୍ଟେସନରେ ବୋମା ବିସ୍ଫୋରଣ ହୋଇଥିଲେ । ଏହାଛଡା ଦଶାଶ୍ୱମେଘ ଘାଟ ନିକଟରେ କୁକର ବୋମା ମିଳିଥିଲା । ବୋମା ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଥିବାବେଳେ, ଡର୍ଜନରୁ ଅଧିକ ଲୋକେ ଆହତ ହୋଇଥିଲେ । ସିରିଏଲ ବ୍ଲାଷ୍ଟ ମାମଲାରେ ୟୁପି ପୋଲିସ ୨୦୦୬ ଏପ୍ରିଲ ୫ ତାରିଖରେ ପ୍ରୟାଗରାଜ ଜିଲ୍ଲାର ଫୁଲପୁର ଗାଁର ୱାଲିଉଲ୍ଲାହକୁ ଗିରଫ କରିଥିଲା ।