ମାଲବାହୀ ଟ୍ରେନ୍ରେ ଭେକ୍ୟୁମ ପାଇପ୍ ଅଚଳ, ୧୪ ବଗି ଛାଡ଼ି ୨ କିମି ଗଡ଼ିଲା ଇଞ୍ଜିନ
ବସ୍ତା : ପୁଣି ଏକ ଅଘଟଣ । ପୁଣି ଏକ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାର ଜଣାପଡ଼ିଛି । ମାଲବାହୀ ଟ୍ରେନ୍ରେ ଭେକ୍ୟୁମ ପାଇପ୍ ଅଚଳ ଯୋଗୁଁ ବଗି ଛାଡ଼ି ଗଡ଼ିଲା ଇଞ୍ଜିନ । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅନ୍ତର୍ଗତ ଅମର୍ଦ୍ଦା ରୋଡ଼ ଷ୍ଟେସନ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ଭେକ୍ୟୁମ ପାଇପ ଅଚଳ ହେବାରୁ ୧୪ଟି ବଗି ଛାଡ଼ି ଅନ୍ୟ ୧୬ଟି ବଗି ସହ ଇଞ୍ଜିନ ରେଳଧାରଣାରେ ଦୁଇ ୨ କିମି ଗଡ଼ିଯାଇଥିଲା । ଖବର ପାଇ ବିଶେଷଜ୍ଞ ଟିମ୍ର ତଦାରଖ ପରେ ପାଖାପାଖି ଏକ ଘଣ୍ଟାର ବିଳମ୍ବ ପରେ ତ୍ରୁଟି ସଜଡ଼ା ଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ସୂଚନା ଯେ, ମଙ୍ଗଳବାର ଅପରାହ୍ନ ସମୟରେ ସାନ୍ତରାଗାଛିରୁ ଭଦ୍ରକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ଅମର୍ଦ୍ଦାରୋଡ ରେଳଷ୍ଟେସନ ଅତିକ୍ରମ ପରେ ଟ୍ରେନର ଭେକ୍ୟୁମ ପାଇପ୍ ଅଚଳ ହୋଇଯାଇଥିଲା । ଫଳରେ ଇଞ୍ଜିନ ଠାରୁ ବଗି ଗୁଡ଼ିକ ଅଲଗା ହୋଇଯାଇଥିଲା । ଅମର୍ଦାରୋଡ ଗେଟ ଉପରେ ୧୪ଟି ବଗି ରହିଯାଇଥିଲା । ଅନ୍ୟ ୧୬ଟି ବଗି ସହ ଇଞ୍ଜିନ ପ୍ରାୟ ୨ କିମି ରାସ୍ତା ଅତିକ୍ରମ କରିଥିଲା । ଖବରପାଇ ଷ୍ଟେସନ ମ୍ୟାନେଜର ବିଭାଗୀୟ ଅଧିକାରୀଙ୍କୁ ସଙ୍ଗେ ସଙ୍ଗେ ଜଣାଇଥିଲେ । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ରେଳ ବିଭାଗର ଏକ ବିଶେଷଜ୍ଞ ଟିମ ପହଞ୍ôଚ ଘଟଣାର ତଦାରଖ କରିଥିଲେ । ସଙ୍ଗେ ସଙ୍ଗେ ତ୍ରୁଟି ସଜଡ଼ାଯାଇ ଟ୍ରେନର ବଗି ଗୁଡ଼ିକ ସହ ଇଞ୍ଜିନର ସଂଯୋଗ କରାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ତେବେ ପ୍ରବଳ ଗରମ ଯୋଗୁଁ ଅମର୍ଦାରୋଡ ରେଳ ଫାଟକ ପାରି ହେବାକୁ ଶହଶହ ଲୋକେ ଛଟପଟ ହେଉଥିବା ବେଳେ ପାଖାପାଖି ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିଳମ୍ବରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।