ପ୍ରଧାନମନ୍ତ୍ରୀ ବଡ ଘୋଷଣା : ଜାନୁଆରୀ ୩ରୁ ୧୫-୧୮ ବୟସ୍କଙ୍କ ପାଇଁ ଟିକା, ୧୦ରୁ ବୁଷ୍ଟର ଡୋଜ
ନୂଆଦିଲ୍ଲୀ: କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନେଇ ସାରା ଦେଶରେ ଭୟ ବଢିବାରେ ଲାଗିଥିବା ବେଳେ ଦେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୩ ରୁ ୧୫-୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଚିକିତ୍ସା ସେବାରେ ନିୟୋଜିତ ଥିବା କର୍ମଚାରୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଜାନୁୟାରୀ ୧୦ ରୁ ବୁଷ୍ଟର ଡୋଜ ମାତ୍ରା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହିତ ଜାନୁୟାରୀ ୧୦ ରୁ ୬୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବଢୁଥିବା ଓମିକ୍ରନର ସଂକ୍ରମଣକୁ ଦେଖି ଭୟ କରିବାର ଆବଶ୍ୟକତା ନାହିଁ । କେବଳ ସତର୍କତା ଓ କୋଭିଡ ପ୍ରୋଟକଲର ସଠିକ ଅନୁପାଳନ ହିଁ ଆମକୁ ମହାମାରୀରୁ ରକ୍ଷା କରିପାରିବ ।
ବିଶ୍ୱରେ ଆତଙ୍କ ଖେଳାଉଥିବା ଓମିକ୍ରନ୍ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ସେ ଭୟଭୀତ ନ ହୋଇ ମାସ୍କ ବ୍ୟବହାର ସହ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କରିବାକୁ କହିଛନ୍ତି। କରୋନା ମହାମାରୀର ବିପଦ ଏଯାଏ ଟଳିନି। ତେଣୁ କେହି ବି ଅବହେଳା କରିବା ଉଚିତ ନୁହେଁ। ଗୋଆ, ହିମାଚଳ ଓ ଉତ୍ତରାଖଣ୍ଡରେ ଶତ ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇ ସାରିଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଟିକାକରଣ ହାର ବଢ଼ୁଛି। ତେବେ ଟିକାକୁ ନେଇ ପ୍ରଚାର ହେଉଥିବା ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ। ଦୟା କରି କେହି ବି ଟିକାକୁ ନେଇ ଅପପ୍ରଚାର କରନ୍ତୁ ନାହିଁ। ଆମକୁ ଏହି ଗୁଜବ ବିରୋଧରେ ଏକାଠି ହେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।
ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିଲେ ହେଁ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମୋଦି କହିଛନ୍ତି। ସେ କହିଛନ୍ତି, ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ୍, ୫ ଲକ୍ଷ ଅକ୍ସିଜେନ ବେଡ୍, ୧.୪୦ ଲକ୍ଷ ଆଇସିୟୁ ବେଡ୍, ୩ ହଜାରରୁ ଅଧିକ ପିଏସ୍ ଅକ୍ସିଜେନ ପ୍ଲାଣ୍ଟ ଓ ୪ ଲକ୍ଷ ଅକ୍ସିଜେନ ସିଲିଣ୍ଡର ବିଭିନ୍ନ ସ୍ଥାନରେ ମହଜୁଦ ରହିଛି। ଏବେ ସୁଦ୍ଧା ୬୧%ରୁ ଅଧିକ ଲୋକ ଟିକାର ଡବଲ୍ ଡୋଜ୍ ନେଇ ସାରିଛନ୍ତି। ୧୪୧ କୋଟି ଡୋଜ୍ର ଟିକାକରଣ ହୋଇଛି। ଟିକା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୯୦% ଲୋକ ଅତିକମରେ ଗୋଟିଏ ଲେଖାଏ ଡୋଜ୍ ନେଇ ସାରିଛନ୍ତି ବୋଲି ମୋଦି କହିଛନ୍ତି।