ଉତ୍ତରକାଶୀ ହିମସ୍ଖଳନ ଅଘଟଣ : ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି
ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତରକାଶୀ ହିମସ୍ଖଳନ ଅଘଟଣରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୩ ଜଣ ଟ୍ରେନିଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଏହି ବଡ ଧରଣର ହିମସ୍ଖଳନ ହୋଇଥିବା ବେଳେ ବରଫ ଅତଡା ଭିତରେ ଏକ ପର୍ବତାରୋହୀ ଟିମ୍ ଫସି ରହିଛନ୍ତି ।
ଶୁକ୍ରବାର ସକାଳ ସୁଦ୍ଧା ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅପରାହ୍ନ ବେଳକୁ ଏହି ସଂଖ୍ୟା ୨୬ରେ ପହଞ୍ଚିଛି । ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ୩ ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି । ସୂଚନା ଥାଉ କି ମଙ୍ଗଳବାର ସକାଳ ୯ଟା ସମୟରେ ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ ।