ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ : ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ବୁଧବାର ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ଲକ୍ଷ୍ନୌ, ରାୟବରେଲି, ପୀଲୀଭୀତ, ଲଖୀମପୁର ଖୀରୀ, ସୀତାପୁର, ହରଦୋଇ, ଫତେହପୁର, ବାନ୍ଦା, ଉନ୍ନାଓ ପ୍ରଭୃତି ୯ ଜିଲାର ୫୯ ଆସନରେ ହୋଇଥିଲା ମତଦାନ। ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୭.୪୫% ମତଦାନ ହୋଇଛି।
ଚତୁର୍ଥ ପର୍ଯ୍ୟାୟରେ ଯେଉଁ ୫୯ ଆସନରେ ମତଦାନ ହୋଇଥିଲା ତାହା ମଧ୍ୟରୁ ୧୯ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ ୨୩୧ ଆସନ ଲାଗି ହୋଇସାରିଛି ଭୋଟ ଗ୍ରହଣ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ଅନେକ ମନ୍ତ୍ରୀ ଦେଇଛନ୍ତି ଅଗ୍ନି ପରୀକ୍ଷା। ପରୀକ୍ଷା ଦେଇଥିବା କେନ୍ଦ୍ରମନ୍ତ୍ରୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, କୌଶଳ କିଶୋର, ଅଜୟ ମିଶ୍ରା ଟେନି। ଅନ୍ୟପଟେ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ହେଉଛନ୍ତି ରାଜ୍ୟର ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ନିର୍ବାଚନ ଲଢୁଥିବା ବ୍ରଜେଶ ପାଠକ ଏବଂ ଲକ୍ଷ୍ନୌ ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆଶୁତୋଷ ଟଣ୍ଡନ। ଚତୁର୍ଥ ପର୍ଯ୍ୟାୟରେ ରାମ ମନ୍ଦିର, ଲକ୍ଷ୍ମୀପୁର ହିଂସା, ବୁଲା ଗାଈଗୋରୁ, ରୋଜଗାର ଏବଂ କୃଷକ ସମସ୍ୟା ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରସଙ୍ଗ ଆଧାରରେ ଲୋକେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।
ଫେବୃଆରୀ ୨୩ ତାରିଖ ବୁଧବାର କରହଲ ଆସନର ୨୬୬ ନମ୍ବର ମତଦାନ କେନ୍ଦ୍ରରେ ପୁଣି ଥରେ ହୋଇଛି ଭୋଟ ଗ୍ରହଣ। ଏଠାରେ ଗତ ରବିବାର ହୋଇଥିବା ମତଦାନ ବେଳେ ଗୋପୀନୟତା ଭଙ୍ଗ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁନର୍ବାର ଭୋଟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। ଗତ ଫେବୃଆରୀ ୨୦ ତାରିଖ ରବିବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ହୋଇଥିବା ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ କରହଲ ଆସନ ଲାଗି ହୋଇଥିଲା ମତଦାନ।