ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ! ଉତ୍କଳ ମଣିଙ୍କ ରୂପାନ୍ତରିତ ଜନ୍ମପୀଠର କଲେ ଲୋକାର୍ପଣ
ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଗୋପବନ୍ଧୁ ସଂଗ୍ରହାଳୟର ଉଦଘାଟନ
ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉତ୍କଳ ମଣିଙ୍କ ରୂପାନ୍ତରିତ ଜନ୍ମପୀଠ ଲୋକାର୍ପଣ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଗୋପବନ୍ଧୁ ସଂଗ୍ରହାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୫ କୋଟି ଟଙ୍କା ପ୍ରକଳ୍ପରେ ବଦଳିଛି ସୁଆଣ୍ଡୋର ରୂପରଙ୍ଗ ।
ସୁଆଣ୍ଡୋ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜା କରିଥିଲେ । ପରେ ଷଠିଘର ବୁଲିଥିଲେ। ସେହିପରି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଛନ୍ତ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି। ୨୫ କୋଟି ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ।
ଘରେ ଥିବା ଢିଙ୍କି, ଲଣ୍ଠନ, ଲୋଟା, ଖଟ ଉତ୍କଳମଣିଙ୍କ ସ୍ମୃତିକୁ ତାଜା କରୁଛି। ଘରର ସବୁ ବସ୍ତୁକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠି ଘର, ଗ୍ରାମ୍ୟ ଶିବ ମନ୍ଦିର, ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତା ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏସଏଚଜି ମହିଳା ମାନେ ଆସି ଫୁଲତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ କରିଥିଲେ। ଗୋପବନ୍ଧୁଙ୍କ ଜନ୍ମସ୍ଥଳୀର ଏଭଳି ବିକଶୀତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।