ହଷ୍ଟେଲ ବନ୍ଦ ନିଷ୍ପତି ବିରୋଧରେ ରାଜପଥ ଅବରୋଧ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ
ଏବେ ହଷ୍ଟେଲ ବନ୍ଦ ହେବନି : ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଧାରଣା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ନିଷ୍ପତିରୁ ଓହରିଛନ୍ତି ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲଗୁଡିକ ଖୋଲା ରହିବ । ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ଦିଆଯିବ । ତେବେ କରୋନାର ସ୍ଥିତିକୁ ଦେଖି ଆଗାମୀ ଦିନରେ ନିଷ୍ପତି ନିଆଯିବ । ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ହଷ୍ଟେଲ ବନ୍ଦ ନିଷ୍ପତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ବାଣୀବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡିବାକୁ କୁହାଯାଇଥିଲା । ମାତ୍ର ହଷ୍ଟେଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ବାଣୀବିହାରର ଶତାଧିକ ଛାତ୍ରଛାତ୍ରୀ ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଜାତୀୟ ରାଜପଥ ଅବରୋଧ କରି ନାରାବାଜି କରିଥିଲେ ।
ସରକାରଙ୍କ ବିରୋଧରେ ନାରାବାଜି ଦେଇ ପିଲାମାନେ କହିଥିଲେ ଯେ ପିପିଲି, ଡେଲାଙ୍ଗରେ ଉପନିର୍ବାଚନ ବେଳେ ରାଲି ହୋଇପାରୁଛି ।
ସେଠାରେ କରୋନା କଟକଣା ଲାଗୁ କରାଯାଉନି । ମଦ ଦୋକାନ, ମାଛ ହାଟ, ପରିବା ଦୋକାନ ଖୋଲୁଛି, ବସ୍ ରେ ଭର୍ତି ହୋଇ ଲୋକ ଯାଉଛନ୍ତି, ନିର୍ବାଚନ ସମୟରେ ୨୦ ହଜାର ମିଶି ସମାବେଶ କରିପାରୁଛନ୍ତି । ହେଲେ ଶିକ୍ଷାନୁଷ୍ଠାନକୁ କରୋନା ନାଁରେ ବନ୍ଦ କରାଯାଉଛି । ଶିକ୍ଷାନୁଷ୍ଠାନ କ’ଣ ପାଇଁ ବନ୍ଦ ହେଉଛି । ଶିକ୍ଷା ଆଗ ନା ନିର୍ବାଚନ ଆଗ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି । କରୋନା ନାଁ ନେଇ ସରକାର ବିଶ୍ୱବିଦ୍ୟାଳୟର ନୈତିକ ବାତାବରଣ ଖରାପ କରି ଦେଉଛନ୍ତି । ଆସନ୍ତାକାଲି ପରୀକ୍ଷା ନିମନ୍ତେ କଲେଜ କର୍ତୃପକ୍ଷ ଗୋଟିଏ ହାତରେ ନୋଟିସ ଦେଉଛନ୍ତି, ଅନ୍ୟ ହାତରେ ହଷ୍ଟେଲ ଖାଲି କରିବାକୁ ନୋଟିସ ଦେଉଛନ୍ତି । ଏହା କି ପ୍ରକାର ନ୍ୟାୟ । ବାଣୀବିହାରରେ ଜଣେ ବି ପଜିଟିଭ ବାହାରି ନାହାନ୍ତି । ହେଲେ ହଷ୍ଟେଲ ଖାଲି କରିବାକୁ କହି ସାରିଲେଣି । ହେଲେ ଯେଉଁଠି ଲୋକ ଗହଳି ହେଉଛି ସେଠାରେ ଆଖି ବୁଜି ଦେଉଛନ୍ତି । କରୋନା ବ୍ୟାପିବ କହି ହଷ୍ଟେଲ ଖାଲି କରିବା ଅପେକ୍ଷା ଶିକ୍ଷାନୁଷ୍ଠାନରେ କିପରି କରୋନା ନ ବ୍ୟାପିବ ତାହାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ । ଅପରପକ୍ଷରେ ପିଜି କାଉନସିଲ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଳିକ କହିଥିଲେ ଯେ ପ୍ରଥମେ ଜୀବନ, ତାପରେ ଶିକ୍ଷା । ହଷ୍ଟେଲ ବନ୍ଦ ନେଇ ସରକାରଙ୍କ ନିଷ୍ପତି ପାଳନ କରାଯିବ । ନିଷ୍ପତିରେ କୌଣସି ପରିବର୍ତନ କରାଯାଇପାରିବ ନାହିଁ ।