ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୪ ତମ ଜୟନ୍ତୀ ଉତ୍ସବ ପାଳନ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୪ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସମାଲୋଚକ ଡ. ରମାକାନ୍ତ ବେହେରା ଯୋଗଦେଇ ଘଟଣା ବହୁଳ ଜୀବନରୁ ବିପୁଳ ଅନୁଭୂତି ଚୟନ କରି ହରେକୃଷ୍ଣ ମହତାବ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିବା ହେତୁ ତାଙ୍କ ଲେଖାରୁ ଏକ ପରିପକ୍ୱ ଅନ୍ତଦୃଷ୍ଟିର ପ୍ରତିଫଳନ ଲକ୍ଷ୍ୟ କରିହୁଏ ବୋଲି ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଅତିଥି ସୋମା ଚାନ୍ଦ ଶିଶୁ ସାହିତ୍ୟ କ୍ଷେତ୍ରରେ ଡ. ମହତାବଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ମତ ଦେଇଥିଲେ ।
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଡ. ହରେକୃଷ୍ଣ ମହତାବ ଦେଶ ତଥା ଜାତୀୟ ସମସ୍ୟାକୁ ନିଜର ସମସ୍ୟା ମନେକରିଥିଲେ ଏବଂ ପରାଧୀନ ଉତ୍କଳ ଜନନୀର ତଥା ଭାରତବର୍ଷର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ସବୁ କାଳର ମଣିଷ ନିକଟରେ ଉଦାହରଣ ସୃଷ୍ଟି କରିଯାଇଛନ୍ତି ବୋଲି ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠାତା ରୂପେ ସେ ଅଗଣିତ ପାଠକ ନିକଟରେ ସ୍ୱତନ୍ତ୍ର ଆସନର ଅଧିକାରୀ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ହରେକୃଷ୍ଣ ମହତାବ କେନ୍ଦ୍ରୀୟ ପାଠାଗାରର ନିର୍ଦ୍ଦେଶକ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଡ. ମହତାବଙ୍କ ଜୀବନୀ ସାଧନା ନିମିତ୍ତ ଏକ ପ୍ରଶସ୍ଥ ମାର୍ଗ ଦର୍ଶନର ଯୋଗ୍ୟତା ରଖେ ବୋଲି ମତ ଦେଇଥିଲେ । ଡ. ଦେବାଶିଷ ପାତ୍ର ଏହି ଜୟନ୍ତୀ ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡ. ଜୟନ୍ତ କୁମାର ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।