୨୦୨୦-୨୧ରେ ବୟସସୀମା ସରିଯାଇଥିବା ୟୁପିଏସସି ଆଶାୟୀଙ୍କୁ ପ୍ରାରମ୍ଭିକ ପରୀକ୍ଷା ଦେବାକୁ ମିଳିବ ଅତିରିକ୍ତ ସୁଯୋଗ
ନୂଆଦିଲ୍ଲୀ : ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ୨୦୨୦ରେ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇ ଅବଗତ କରାଯାଇଛି। ଏ.ଏମ. ଖାନଭିଲକରଙ୍କ ଖଣ୍ଡପୀଠକୁ କେନ୍ଦ୍ର ସରକାର ଜଣାଇଛନ୍ତି ଯେ, କରୋନା ମହାମାରୀ ମଧ୍ୟରେ ୨୦୨୦ ଅକ୍ଟୋବରରେ ୟୁପିଏସସି ଦ୍ବାରା ଆୟୋଜିତ ହୋଇଥିବା ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ଅନେକ ପ୍ରାର୍ଥୀ ବିଭିନ୍ନ କାରଣରୁ ଅଂଶଗ୍ରହଣ କରିପାରି ନ ଥିଲେ। ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଯିବାରୁ ବହୁ ପ୍ରାର୍ଥୀଙ୍କ ଲାଗି ଉକ୍ତ ପରୀକ୍ଷା ଶେଷ ସୁଯୋଗ ଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେହି ପ୍ରାର୍ଥୀମାନଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ଦେବାକୁ ଯାଉଛି। ଏହାଦ୍ବାରା ୧୦,୩୩୬ ଆଶାୟୀ ଉପୃକତ ହେବେ।
ସୂଚନା ଯେ, ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୟୁପିଏସସି ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି। ନାଗରିକ ସେବା ଆଶାୟୀ ରଚନା ସିଂହଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟ ଦେଇଛନ୍ତି।