ଧାର୍ମିକ ଶୋଭାଯାତ୍ରା ପାଇଁ ନିର୍ଦ୍ଦେଶନାମା ଜାରି କଲେ ୟୁପି ସରକାର
ଲକ୍ଷ୍ନୌ : ଧାର୍ମିକ ଶୋଭାଯାତ୍ରା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବାର ଚିତ୍ର ସାମନାକୁ ଆସୁଛି । ଏହାକୁ ନଜରରେ ରଖି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା ଏବଂ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଏଥିରେ କୁହାଯାଇଛି ଯେ ପୂର୍ବ ଅନୁମତି ବିନା ରାଜ୍ୟରେ କୌଣସି ପ୍ରକାରର ଧାର୍ମିକ ସମାବେଶ କିମ୍ବା ଶୋଭାଯାତ୍ରା କରାଯାଇ ପାରିବ ନାହିଁ। ଅନୁମତି ନେବା ବେଳେ ଆୟୋଜକମାନେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟୀ ରଖିବେ ବୋଲି ଗୋଟିଏ ଲିଖିତ ପ୍ରତିଶ୍ରୁତି ଦେବେ। ପ୍ରଶାସନ ପକ୍ଷରୁ କେବଳ ପାରମ୍ପରିକ କାର୍ୟ୍ୟକ୍ରମ ପାଇଁ ଅନୁମତି ମିଳିବ। କୌଣସି ପ୍ରକାରର ନୂଆ କାର୍ୟ୍ୟକ୍ରମ ପାଇଁ ଅନୁମତି ଦିଆଯିବନାହିଁ ।
ଧାର୍ମିକ କାର୍ଯ୍ୟକ୍ରମରେ କେବଳ ଅନୁମୋଦନ ପ୍ରାପ୍ତ ସ୍ଥାନ ଗୁଡ଼ିକରେ କରାଯିବ। କୌଣସି ରାସ୍ତା କିମ୍ବା ଟ୍ରାଫିକକୁ ବନ୍ଦ କରି କେହି ବି ଶୋଭାଯାତ୍ରା କରିପାରିବ୍ ନାହିଁ ହୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ନୂଆ ସ୍ଥାନରେ କେହି ବି ମାଇକ୍ରୋଫୋନ ବ୍ୟବହାର କରିପାରିବେ। ପୂର୍ବରୁ ଯେଉଁ ସବୁ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ହେଉଛି, ସେଠାରେ ଏହାକୁ ବଜାଇବା ପାଇଁ ଅନୁମତି ମିଳିବ। ତେବେ ଏହି ସାଉଣ୍ଡ ଯେମିତି କାହାକୁ ଡିଷ୍ଟର୍ବ କରିବ ନାହିଁ, ସେକଥାକୁ ଆୟୋଜକ ନିଶ୍ଚିତ କରିବେ। ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେଉଥିବାରୁ ଉତ୍ତର ପ୍ରଦେଶ ସରକାର ମେ’ ୪ ତାରିଖ ଯାଏ ସମସ୍ତ ପୁଲିସ୍ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ୟ୍ୟରେ ଯୋଗ ଦେବାକୁ କହିଛନ୍ତି।