୨୦୨୩ ଆର୍ଥିକ ବର୍ଷ ପାଇଁ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା ଜାରି କରିବ ଆମେରିକା
ଓ୍ବାଶିଂଟନ : ୨୦୨୩ ଆର୍ଥିକ ବର୍ଷ ପାଇଁ ଆମେରିକା ଅସ୍ଥାୟୀ ଭାବରେ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା ଉପଲବ୍ଧ କରାଇବ। ଏହି ବର୍ଗର ଭିଜା ଅଣ କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ। ଆମେରିକାର କମ୍ପାନୀମାନଙ୍କୁ ସେମାନଙ୍କର ଶ୍ରମ ଆବଶ୍ୟକତା ପାଇଁ ଯୋଜନା କରିବାକୁ ସକ୍ଷମ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏଚ୍-୨ବି ଭିଜା ସୀମିତ ସମୟ ପାଇଁ ଯୁକ୍ତରାଷ୍ଟ୍ରରେ ଅଣ କୃଷି ଶ୍ରମ କିମ୍ବା ସେବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ସାମୟିକ ଭାବରେ ନିଯୁକ୍ତି କରିବାକୁ ଅନୁମତି ଦେବ।
ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଭାରତୀୟଙ୍କ ଉପରେ ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ନାହିଁ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଭିଜା ଚୟନ କରୁନାହାଁନ୍ତି। ଭାରତୀୟମାନେ ସାଧାରଣତଃଏଚ-୨ବି ଭିଜା ପାଇଁ ଆବେଦନ କରନ୍ତି ନାହିଁ । ଏହାର କାରଣ ହେଉଛି ଯେ ଆମେରିକାକୁ ଯାଉଥିବା ଅଧିକାଂଶ ଭାରତୀୟ ଉଚ୍ଚଶିକ୍ଷିତ ବୃତ୍ତିଗତ ଅଟନ୍ତି ଯେଉଁମାନେ ଆମେରିକାର କମ୍ପାନୀଗୁଡିକ ଦ୍ୱାରା ବିଶେଷ ଭୂମିକା ପାଇଁ ନିଯୁକ୍ତହୋଇଥାନ୍ତି।
ଏକ୍ଷେତ୍ରରେ ତତ୍ତ୍ୱଗତ କିମ୍ବା ବୈଷୟିକ ଜ୍ଞାନକୌଶଳ ଆବଶ୍ୟକତା ରହିଥାଏ। ଏହି ପ୍ରକାରର ଇମିଗ୍ରେଶନ ପାଇଁ ଏଚ-୧ବି ଭିଜା ଆବଶ୍ୟକ। ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ ଏକ ବିବୃତ୍ତିରେ କହିଛି ଯେ ଗୃହ ବିଭାଗ ଏବଂ ଶ୍ରମ ବିଭାଗ ଏକ ଅସ୍ଥାୟୀ ନିୟମ ଜାରି କରୁଛି ଯାହାକି ୨୦୨୨-୨୩ ଆର୍ଥିକ ବର୍ଷରେ ଅତିରିକ୍ତ ଅସ୍ଥାୟୀ ଅଣ କୃଷି ଶ୍ରମିକଙ୍କୁ ଅନୁମତି ଦେବ। ୧୫ ସେପ୍ଟେମ୍ବର ୨୦୨୩ ପୂର୍ବରୁ ଅତିରିକ୍ତ ଶ୍ରମିକ ଆବଶ୍ୟକ କରୁଥିବା ଆମେରିକୀୟ ନିଯୁକ୍ତିଦାତାଙ୍କ ଅନୁରୋଧର ଉତ୍ତରରେ ଏହି ଅତିରିକ୍ତ ଭିଜା ପ୍ରଦାନ କରାଯାଉଛି।