ଭାରତ ଆସିବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ
ନୂଆଦିଲ୍ଲୀ : ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏହା ଉଭୟ ଦେଶର ସମ୍ପର୍କକୁ ସୁଦୃଢ କରିବ । ଲଣ୍ଡନର ଇଣ୍ଡୋ ପାସିଫିକ୍ ଟିଲ୍ଟ ଓ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଉଭୟ ପକ୍ଷ ଆଲୋଚନା କରିବେ । ଗତ ବର୍ଷ ନଭେମ୍ବରରେ ଗ୍ଲାସ୍ଗୋ ଜଳବାୟୁ ଶିଖର ସମ୍ମିଳନୀରେ ଉଭୟ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ସାକ୍ଷାତ ହୋଇଥିଲେ।
ଗତ ବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇଥର ବାତିଲ କରାଯାଇଥିଲା। ପ୍ରଥମେ ଜାନୁଆରୀରେ, ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା କିନ୍ତୁ ବ୍ରିଟେନରେ କୋଭିଡ ସଙ୍କଟ ହେତୁ ଏହା ବାସ୍ତବ ରୂପ ନେଇ ପାରିଲା ନାହିଁ । ସେହିଭଳି ଗତ ବର୍ଷ ଜି ସେଭେନ ର ଚେୟାରମ୍ୟାନ୍ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅତିଥି ଭାବରେ ବ୍ରିଟେନ ନିମନ୍ତ୍ରଣ କରିଥିଲେ , କିନ୍ତୁ ମହାମାରୀ ହେତୁ ପରିଦର୍ଶନ ମଧ୍ୟ ହୋଇପାରିଲା ନାହିଁ।
ମେ ୨୦୨୧ ରେ ୨୦୩୦ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ୨ ନେତାଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ହୋଇଥିଲା । ସ୍ୱାସ୍ଥ୍ୟ, ଜଳବାୟୁ, ବାଣିଜ୍ୟ, ଶିକ୍ଷା, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ପ୍ରତିରକ୍ଷା ଆଦି କ୍ଷେତ୍ରରେ ବ୍ରିଟେନ-ଭାରତ ସମ୍ପର୍କ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । ୨୦୩୦ ସୁଦ୍ଧା ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନିଷ୍ପତି ନିଆଯାଇଥିଲା । ବ୍ରିଟେନ ଓ ଭାରତ ମଧ୍ୟରେ ବର୍ଷକୁ ବାଣିଜ୍ୟର ମୂଲ୍ୟ ପ୍ରାୟ ୨୩ ବିଲିୟନ ଡ଼ଲାର ଅଟେ । ବ୍ରିଟେନ ଇଣ୍ଡୋ ପାସିଫିକ୍ ଟିଲ୍ଟ ପୋଷ୍ଟର ଏକ ଅଂଶ ଭାବରେ ଭାରତର ଇଣ୍ଡୋ-ପାସିଫିକ୍ ମହାସାଗରୀୟ ଉଦ୍ୟମରେ ଯୋଗଦେବ ଏବଂ ଦକ୍ଷିଣ ପୂର୍ବ ଏସିଆର ପ୍ରମୁଖ ଅଂଶୀଦାରମାନଙ୍କ ସହିତ କାର୍ୟ୍ୟର ସମନ୍ୱୟ ରକ୍ଷା କରି ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ଏକ ପ୍ରମୁଖ ଅଂଶୀଦାର ହେବ ।