ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ଠାରୁ କଟ୍ ମନି ନେଇ ଭ୍ରଷ୍ଟାଚାର କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
କୋଲକାତା : ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅଧୀନରେ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପଶ୍ଚିମବଙ୍ଗର ଗରିବଙ୍କ ବିକାଶ ପାଇଁ ଘର, ଏନଆରଇଜିଏସ ଟଙ୍କା ପ୍ରଦାନ କରୁଛନ୍ତି ଏବଂ ସାମଗ୍ରିକ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି କିନ୍ତୁ ଏଠି ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ଠାରୁ କଟମନି ନେଇ ଭ୍ରଷ୍ଟାଚାର କରୁଛନ୍ତି ଓ ମୋଦି ସରକାର ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସେହି ଅନୁସାରେ ଅର୍ଥ ଖର୍ଚ୍ଚ ହେଉନାହିଁ, ତାର ହିସାବ ପଶ୍ଚିମବଙ୍ଗ ସରକାରକୁ ଦେବାକୁ ପଡିବ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କୋଲକାତା ଉତ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ଆୟୋଜିତ ରାଜ୍ଯ ସଂଖ୍ୟାଲଘୁ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ସଂଖ୍ୟାଲଘୁଙ୍କୁ ମୁଖ୍ଯ ସ୍ରୋତରେ ସାମିଲ ନ କରାଗଲେ ଭାରତର ବିକାଶ ଅସମ୍ଭବ । ପ୍ରଧାନମନ୍ତ୍ରୀ ‘ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ଓ ସବକା ବିଶ୍ୱାସ\’ ମନ୍ତ୍ରରେ ପଛୁଆ ବର୍ଗଙ୍କ ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଏହି ସମୁଦାୟର ଛାତ୍ରଛାତ୍ରୀଙ୍କ ବୃତ୍ତି ଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା ସୁନିଶ୍ଚିତ କରିଛନ୍ତି । ଅମୃତକାଳ ବଜେଟରେ ବଂଚିତ ବର୍ଗଙ୍କୁ ପ୍ରାଥମିକତା ଦିଆଯାଇଛି ।ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ୨୦୨୩-୨୪ କେନ୍ଦ୍ର ବଜେଟର ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । କୋଲକାତା ଉତ୍ତର ନିର୍ବାଚନମଣ୍ଡଳୀର ପାଇକରା ଠାରେ ଦଳର କାର୍ଯ୍ୟକର୍ତ୍ତା ଶିବୁ ଦେ\’ଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ପବିତ୍ର ମହାଶିବରାତ୍ରୀ ଅବସରରେ କୋଲକାତା ଉତ୍ତର ସ୍ଥିତ ଭୂତାନାଥ ଶିବ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।