କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଅଗ୍ରୀମ ଜାମିନ ନିବେଦନ ଖାରଜ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ଅଡୁଆରେ ବିଜେପି ନେତା ନାରାୟଣ ରାଣେ । ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମନ୍ତ୍ରୀ ନାରାୟଣ ରାଣେଙ୍କ ଲାଗି ଦଳର ଜନ ଆଶିର୍ବାଦ ରାଲି ଏବେ ବିପରୀତ ହେବାକୁ ଯାଉଛି। ରାଲିରେ ‘ଥାପ୍ପଡ ଉଦ୍ଧବ’ ମନ୍ତବ୍ୟ ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ପୋଲିସ ଗିରଫ କରିବାକୁ ଯାଇଛି। ସେପଟେ ଗିରଫଦାରୀ ଟାଳିବା ଲାଗି ରତ୍ନଗିରି କୋର୍ଟରେ ରାଣେଙ୍କ ଅଗ୍ରୀମ ଜାମିନ ନିବେଦନ ମଙ୍ଗଳବାର ଅଗ୍ରାହ୍ୟ ହୋଇଯାଇଥିବା ଜଣାପଡିଛି। ଏଣୁ ରାଣେଙ୍କ ଗିରଫ ଏବେ ଥୟ ବୋଲି କୁହାଯାଉଛି।
ନାରାୟଣ ରାଣେ ମଙ୍ଗଳବାର କୋଙ୍କଣ କ୍ଷେତ୍ରରେ ଚାଲିଥିବା ଜନ ଆଶିର୍ବାଦ ରାଲିରେ ଅଂଶଗ୍ରହଣ କରୁଛନ୍ତି। ତେବେ ସେ ଦେଇଥିବା ଥାପ୍ପଡ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ଉତ୍ତର ମହାରାଷ୍ଟ୍ରର ବିଭିନ୍ନ ଥାନାରେ ରୁଜୁ ଏତଲା ଲାଗି ନାସିକ୍ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଛି। ସେପଟେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପୋଲିସକୁ ଆଇନ ଅନୁସାରେ ରାଣେଙ୍କ ପ୍ରତି ବ୍ୟବହାର କରିବା ଲାଗି ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ ହିଂସାରେ ବିଶ୍ୱାସ କରୁନା। ତେବେ ଆମ ପ୍ରତି ହିଂସାକୁ ମଧ୍ୟ ଆମେ ବରଦାସ୍ତ କରୁନା । ସୂଚନା ଯେ, ନିକଟରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନାରାୟଣ ରାଣେ ସୋମବାର ରାୟଗଡ଼ ଜିଲ୍ଲାରେ ଜନଆଶିର୍ବାଦ ଯାତ୍ରା କାଳରେ ମହା ବିକାଶ ଅଗାଢି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଷଣକୁ ପ୍ରସଙ୍ଗ କରିଥିଲେ। ସେ କହିଥିଲେ ଯେ ଦେଶ ସ୍ୱାଧୀନତାକୁ କେତେ ବର୍ଷ ପୁରିଲା ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣା ନାହିଁ। ଭରା ସଭାରେ ପଛକୁ ବୁଲି ପଚାରୁଥିବା ଦେଖା ଯାଇଥିଲା। ଏହାଠୁ ଅଧିକ ଲଜ୍ଜାଜନକ ଆଉ କଣ ହୋଇପାରେ । ଯଦି ସେଠାରେ ମୁଁ ଥାନ୍ତି କଷିକି ଚାପୁଡେ ପକାଇଥାନ୍ତି ବୋଲି ରାଣେ କହିଥିଲେ। ତେବେ ଜନ ଆଶିର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ଶିବସେନା ସମର୍ଥକ ଓ କର୍ମୀମାନେ ଥାନାକୁ ଯାଇ ପୋଲିସରେ ଲିଖିତ ଏତଲା ଦେଇଛନ୍ତି। ଏଣୁ ରାଣେଙ୍କୁ ଗିରଫ କରିବା ଲାଗି ନାସିକ ପୋଲିସ ପଦକ୍ଷେପ ନେଇଛି। ମଙ୍ଗଳବାର ଏତଲାରେ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ବାହାରି ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ରତ୍ନଗିରି କୋର୍ଟରେ ଅଗ୍ରୀମ ଜାମିନ ନିବେଦନ କରାଯାଇଥିବା ବେଳେ କୋର୍ଟ ତାହା ଖାରଜ କରି ଦେଇଛନ୍ତି।