ଆଜି ଢେଙ୍କାନାଳରେ କମନ୍ ୟୁଜର ଫାସିଲିଟିର ଭୂମି ପୂଜନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲାର ସଦାଶିବପୁର ଠାରେ କମନ୍ ୟୁଜର୍ ଫାସିଲିଟିର ଭୂମି ପୂଜନ କରିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫଳରେ ଏଣିକି ହ୍ରାସ ପାଇବ ପେଟ୍ରୋଲିୟମ ଉତ୍ପାଦର ପରିବହନ ଖର୍ଚ୍ଚ । ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେହିପରି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେସ୍ୱର ତେଲି, ସ୍ଥାନୀୟ ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ସଦାଶିବପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୪୨ହଜାର କିଲୋ ଲିଟର ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ତୈଳ ଡିପୋ ନିର୍ମାଣ କରାଯିବ। ଏମଏସ, ଏଚଏସଡି, ଇଥାନଲ ଏବଂ ବାୟୋ-ଡିଜେଲକୁ ତୈଳ ଡ଼ିପୋରେ ସଂରକ୍ଷିତ ରଖାଯିବ। ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ। ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ସୁବିଧା ଦ୍ୱାରା ପାରାଦୀପ ଟର୍ମିନାଲରୁ ପେଟ୍ରୋଲିୟମ ସାମଗ୍ରୀ ବାରମ୍ବାର ପରିବହନ କରିବାକୁ ପଡ଼ିବ ନାହିଁ। କମନ୍ ୟୁଜର ଫାସିଲିଟିରୁ ସିଧାସଳଖ ପେଟ୍ରୋଲିୟମ ଉତ୍ପାଦ ପରିବହନ ହେବା ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ହେବ। ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଏବଂ ଢ଼େଙ୍କାନାଳ ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ। ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କାମରେ ପ୍ରାୟ ୨ଲକ୍ଷ ମାନବ ଦିବସ ସୃଷ୍ଟି ହେବ ଏବଂ ବ୍ୟବସାୟ ସହ ସ୍ଥାନୀୟ ଅଂଚଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ।