ଆଜିଠୁ ୩ ଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଆଜିଠୁ ୩ ଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ଉପରେ ହବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଯେ, ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଶିକ୍ଷା ମନ୍ତ୍ରୀ ଡ. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ, ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ଆଇଆଇଟି ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ ପରିଦର୍ଶନ କରିବା ସହ ୪୨ ଆବୁଧାବୀ, ସ୍କୁଲ ଫର୍ ପ୍ରୋଗ୍ରେସିଭ୍ ଲର୍ଣ୍ଣିଂ ଅନୁଷ୍ଠାନକୁ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ । ଏହାବ୍ୟତିତ ଭାରତୀୟ ଦୂତାବାସ ଅଡିଟୋରିୟମରେ ୟୁଏଇର ଓଡ଼ିଆ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟସୂଚି ରହିଛି । ସେହିପରି ନଭେମ୍ବର ୨ ରେ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିବା ପରେ ବିଏପିଏସ୍ ମନ୍ଦିର ଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଦୁବାଇରେ ମ୍ୟାନେଜମେଣ୍ଟ କମ୍ପାନୀ ଇଏଫଏସ ପରିଦର୍ଶନ ସହ କମ୍ପାନୀର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବେ।