ବାଲବାଟିକା ଲାଗୁ କରିବାରେ ଉତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ
![](https://thetruths.in/wp-content/uploads/2022/10/NEP-in-Higer-Education-1024x682.jpg)
ଉତରାଖଣ୍ଡରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଡେରାଡୁନ/ହରିଦ୍ୱାର : ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ । ଦେବଭୂମି ଓ ଜ୍ଞାନଭୂମି ଉତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ । ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ । ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ । ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି । ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି । ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତରାଖଣ୍ଡ । ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେ କହିଛନ୍ତି ଉତରାଖଣ୍ଡ ବାଲବାଟିକା, ଆଂଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି । ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତରାଖଣ୍ଡ ରାଜ୍ୟର ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତିରେ ପ୍ରସ୍ତୁତ କରିବ । ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଦ୍ରୁତ ଗତିରେ ପରିବର୍ତନ ହେଉଛି । ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ । ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବରେ ଶିକ୍ଷାର ଦୃଶ୍ୟପଟ୍ଟକୁ ପରିବର୍ତନ କରୁଛି । ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି । ଉତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ । ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗଙ୍ଗତ୍ରି ଠାରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ । ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତନ ହେବା ସହ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବ । ଉତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ । ଏହାବ୍ୟତିତ ଉତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଂଟର କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।