ବଜେଟ୍-୨୦୨୨ : ରେଲୱେକୁ ମିଳିଲା ୧ଲକ୍ଷ ୩୭ ହଜାର କୋଟି ଟଙ୍କା
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ରେଳ ମନ୍ତ୍ରଣାଳୟକୁ ୧ଲକ୍ଷ ୩୭ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହା ଗତବର୍ଷ ଅପେକ୍ଷା ୨୦ ହଜାର ୧୧୩ କୋଟି ଟଙ୍କା ଅଧିକ । ଆସନ୍ତା ୩ ବର୍ଷରେ ୪୦୦ ନୂଆ ପିଢ଼ିର ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ରେଳ କ୍ଷେତ୍ର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦକ’କୁ ବିକଶିତ କରିବ । ସ୍ଥାନୀୟ ଉତ୍ପାଦକଙ୍କୁ ରେଳ ଜରିଆରେ ପରିବହନର ସୁବିଧା ମିଳିବ । ରେଳ ଲାଇନର ନବୀକରଣ ପାଇଁ ୧୩ ହଜାର ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଦୋହରିକରଣ ପାଇଁ ୧୨ ହଜାର ୧୦୮ କୋଟିର ବ୍ୟୟବରାଦ କରାଯାଇଛି ।
ରେଳ ବିଭାଗ ପାଇଁ ଅର୍ଥମନ୍ତ୍ରୀ କରିଥିବା ଘୋଷଣାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ ରେଲୱେ ଓ ଡାକର ଏକୀକରଣ ଦ୍ୱାରା ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଲୋଜିଷ୍ଟିକ ସମାଧାନ ମିଳିବ । ରେଲୱେ ଛୋଟ କୃଷକ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ଉତ୍ପାଦ ଓ ସେବା ଆରମ୍ଭ କରିବ । ବଜେଟରେ ଯାତ୍ରୀ ନିରାପତ୍ତା, ନୂଆ ଟେକନଲୋଜୀର ଉପଯୋଗ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି । ଚାଷୀ ଓ କ୍ଷୁଦ୍ର ଶିଳ୍ପ ମାନଙ୍କ ସୁବିଧା ପାଇଁ ରେଳବାଇ ନୂଆ ପ୍ରକାରର ସେବା ଓ ପ୍ରଡକ୍ଟ ଆରମ୍ଭ କରିବ । ୩ ବର୍ଷରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣକୁ ସ୍ବାଗତ କରି ସେ କହିଛନ୍ତି ଯେ ବନ୍ଦେ ଭାରତକୁ ଲୋକେ ଗ୍ରହଣ କରିଛନ୍ତି । ଏହା ପ୍ରାୟ ୯୫ ପ୍ରତିଶତ ସିଟ ପୂରଣର ସେବା ଯୋଗାଉଛି ।