ବଜେଟ୍-୨୦୨୨ ବିକାଶର ନୂଆ ବିଶ୍ୱାସ ନେଇ ଆସିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ସାଧାରଣ ବଜେଟ ଉପସ୍ଥାପନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୦୦ ବର୍ଷର ଭୟଙ୍କର ବିପତ୍ତି ମଧ୍ୟରେ ଏହି ବଜେଟ ବିକାଶର ନୂଆ ବିଶ୍ୱାସ ନେଇ ଆସିଛି । ଏହି ବଜେଟ ଅର୍ଥ ବ୍ୟବସ୍ଥାକୁ ମଜଭୂତ କରିବା ସହ ସାଧାରଣ ମଣିଷଙ୍କ ପାଇଁ ନୂଆ ଅବସର ସୃଷ୍ଟି କରିବ । ଉକ୍ତ ବଜେଟ ଅଧିକ ନିବେଶ, ଅଧିକ ବିକାଶ ଓ ଅଧିକ ଚାକିରିର ନୂଆ ସମ୍ଭାବନାରେ ପୂର୍ଣ୍ଣ ରହିଛି । ଏହାଦ୍ୱାରା ଗ୍ରୀନ ଜବ୍ସର କ୍ଷେତ୍ର ମଧ୍ୟ ଖୋଲିବ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଗରୀବ କଲ୍ୟାଣ ହେଉଛି ବଜେଟର ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତ୍ୟେକ ଗରିବ ପାଖରେ ପକ୍କା ଘର, ନଳରେ ପାଣି, ଶୌଚାଳୟ ଓ ଗ୍ୟାସ ସୁବିଧା ରହିବା ଉପରେ ଗୁରୁତ୍ୱାରୋପ କରାଯିବ । ଏହାସହ ଆଧୁନିକ ଇର୍ଟରନେଟ କନେକ୍ଟିଭିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ନର୍ଥ ଇଷ୍ଟ କ୍ଷେତ୍ରରେ ପ୍ରଥମଥର ପାଇଁ ପର୍ବତମାଳା ଯୋଜନା ଆରମ୍ଭ ହେଉଛି । ଏହି ଯୋଜନା ପାହାଡ଼ ଉପରେ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ୫ଟି ରାଜ୍ୟର ଗଙ୍ଗା କୂଳରେ ପ୍ରାକୃତିକ ଫାର୍ମିଂକୁ ପ୍ରୋତ୍ସାହନ ଦିଆଯିବ ।