ବାଲେଶ୍ୱର : କ୍ଷେପଣାସ୍ତ୍ରରୁ ଖସି ପଡିଥିବା ଅଫୁଟା ଗୋଳା ଉଦ୍ଧାର
ବାଲେଶ୍ୱର : ଵାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର (ଡିଆରଡିଓ) ରୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ମାନ ପରୀକ୍ଷଣ ହୋଇଥାଏ । ମାତ୍ର କାଁ ଭାଁ କେତେବେଳେ କ୍ଷେପଣାସ୍ତ୍ରରୁ ଅଫୁଟା ଗୋଳା ଉକ୍ତ ଅଞ୍ଚଳରେ ପଡିଥାଏ । ସେଥିପାଇଁ ପରୀକ୍ଷଣ ବେଳେ ଉକ୍ତ ଅଞ୍ଚଳର ଲୋକଙ୍କୁ ସେଠାରୁ ସ୍ଥାନାନ୍ତର ମଧ୍ୟ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବାହାନଗା ବ୍ଳକ ମହାରୁଦ୍ରପୁର ଅଞ୍ଚଳରୁ ଏକ ଅଫୁଟା ଗୋଳା ଉଦ୍ଧାର ହୋଇଛି । ଆଡିଆ ଗାଁରୁ ନଦ ଦାସଙ୍କ ଗୁହାଳ ଘର ଉପରେ ପଡ଼ିବା ସହିତ ତିନି ଫୁଟ ଲମ୍ବର ଗାତ ହୋଇଯାଇଥିଲା । ଅଫୁଟା ଗୋଳାର ଓଜନ ୬୦ କିଲୋରୁ ଅଧିକ ହୋଇଥିବା ଜଣାପଡିଛି । ଗୋଳାର ଶବ୍ଦରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରି ପଳାଇ ଯାଇଥିଲେ । ପରେ ଲୋକମାନେ ଉକ୍ତ ସ୍ଥାନକୁ ଖୋଳି ଗୋଳାକୁ ବାହାର କରିଥିଲେ ।
ସୂଚନା ଯେ, ଗତକାଲି ଚାନ୍ଦିପୁର ସ୍ଥିତ ଡିଆରଡିଓ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା । ଏଥି ମଧ୍ୟରୁ ଗୋଟିଏ ଅଫୁଟା ଗୋଳା କକ୍ଷ ପଥରୁ ଵହାରି ଗାଁ ଆଡକୁ ମାଡ଼ି ଆସିବା ସହ ଖସିପଡ଼ିଥିଲା । ଘଟଣାସ୍ଥଳରେ ଡିଆରଡିଓର ବୈଷୟିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି ।