ଅଭାବନୀୟ ଘଟଣା! ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ
ହାଇଦ୍ରାବାଦ : ଅଭାବନୀୟ ଘଟଣା । ହାଇଦ୍ରାବାଦର ଭୋଲଗୁଡା ଅଞ୍ଚଳରେ ଥିବା ଏକ ରଦ୍ଦି ମାଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୧ଜଣ ପ୍ରବାସୀ ଶ୍ରମିକ ଜୀବନ୍ତ ଦଗ୍ଧ । ସମସ୍ତ ଶ୍ରମିକଙ୍କ ଘର ବିହାରର ଚାପ୍ରା ଜିଲାରେ ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ, ଗୋଦାମରେ ନିଆଁ ଲାଗିବା ସମୟରେ ଶ୍ରମିକମାନେ ଗୋଦାମର ଉପର ମହଲାରେ ଶୋଇଥିଲେ । ଜଣେ ଶ୍ରମିକ ଝରକା ଭାଙ୍ଗି ବାହାରି ଆସିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ପୋଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛିି । ପୋଡିଯାଇଥିବା ମୃତଦେହଗୁଡିକୁ ଚିହ୍ନଟ କରିବା ସମ୍ଭବ ହେଉନଥିବାରୁ ଏଥିପାଇଁ ଡିଏନଏ ଟେଷ୍ଟ କରାଇବାକୁ ପଡ଼ିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ଗୋଦାମରେ ଅଗ୍ନି ନିର୍ବାପନର କୌଣସି ବ୍ୟବସ୍ଥା ନଥିଲା । ଗୋଟିଏ ମାତ୍ର ଷ୍ଟେୟାରକେସ୍ ଥିବାରୁ କେହି ବାହାରି ପାରିନଥିଲେ । ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତିି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ତେଲେଙ୍ଗନା ସରକାର ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।