ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ : ୧୦ ହଜାର ମିଟର ରେସ ୱାକ୍ରେ ଭାରତକୁ ରୌପ୍ୟ ପଦକ
ନାଇରୋବି : ନାଇରୋବିରେ ଚାଲିଥିବା ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଭାରତକୁ ଆଉ ଗୋଟିଏ ପଦକ ମିଳିଛି । ଶନିବାର ୧୦ ହଜାର ମିଟର ରେସ୍ ୱାକ୍ରେ ଭାରତର ଅମିତ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି । ସେ ଏହି ରେସ୍କୁ ୪୨ ମିନିଟ ୧୭.୯୪ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି । ବିଶ୍ୱ ଆଥଲେଟିକ୍ସର କୌଣସି ରେସ୍ ୱାକ୍ରେ ଭାରତର ଏହା ପ୍ରଥମ ପଦକ । ୧୦ ହଜାର ମିଟର ରେସ୍ ୱାକ୍ରେ କେନିୟାର ହେରିଷ୍ଟୋନ ୱାନୟୋନିୟ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସ୍ପେନର ପଲ ମ୍ୟାଗ୍ରାଥ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଉଭୟଙ୍କ ଟାଇମିଂ ଯଥାକ୍ରମେ ୪୨ ମିନିଟ ୧୦.୮୪ ସେକେଣ୍ଡ ଓ ୪୨ ମିନିଟ ୨୬.୧୧ ସେକେଣ୍ଡ ରହିଥିଲା ।
୧୭ ବର୍ଷୀୟ ଅମିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ କେବଳ ରୌପ୍ୟ ପଦକ ଜିତି ନାହାନ୍ତି ବରଂ ୧୦ କିମି ରେସ୍ ୱାକରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ଅମିତ ଯେତେବେଳେ ୧୮ତମ ନ୍ୟାଶନାଲ ଫେଡରେସନ କପ୍ ଟାଇଟଲ ଜିତି ଥିଲେ ତାଙ୍କ ଟାଇମିଂ ଥିବା ୪୦ ମିନିଟ ୪୦.୯୭ ସେକେଣ୍ଡ ଥିଲା । କିନ୍ତୁ ସେ ଏହାଠାରୁ ଭଲ ପ୍ରଦର୍ଶନ କରି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ଜିତିଛନ୍ତି । ପଦକ ଜିତିବା ପରେ ଅମିତ କହିଛନ୍ତି, ଏତେ ବଡ଼ ଇଭେଂଟରେ ଅଂଶ ଗ୍ରହଣ କରିବା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା । ଏହା ମୋର ପ୍ରଥମ ଅନ୍ତର୍ଜାତୀୟ ଇଭେଂଟ । ପ୍ରଥମ ପ୍ରୟାସରେ ମୁଁ ଭାରତ ପାଇଁ ରୌପ୍ୟ ପଦକ ଜିତିଛି । ଆଗକୁ ଆହୁରି ଅଧିକ ଭଲ କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ରେସ୍ ୱାକ୍ରେ ଭାରତ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିବାର ରେକର୍ଡ କରିଛି । ସେହିପରି ଆଥଲେଟିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ହାସଲ କରିଛି । ଚଳିତ ସପ୍ତାହରେ ୪ ଗୁଣା ୪୦୦ ମିକ୍ସିଡ ରିଲେ ଟିମ୍ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା ।