ଅଣ୍ଡର୍-୧୯ ବିଶ୍ୱକପ୍ : ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ
ଗାଏନା : ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି । ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରିଦେଇଛି । ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬.୫ ଓଭରରେ ୨୩୨ ରନ୍ କରି ଅଲଆଉଟ୍ ହୋଇଥିଲା । ଜବାବରେ ବିକ୍କି ଓଟ୍ସୱାଲଙ୍କ ଘାତକ ବୋଲିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪୫.୪ ଓଭରରେ ୧୮୭ ରନରେ ଅଲଆଉଟ୍ କରିଦେଇଛି । ବିକ୍କି ୧୦ ଓଭରରେ ମାତ୍ର ୨୮ ରନ୍ ଦେଇ ୫ ୱିକେଟ୍ ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରୋଭିଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । କ୍ୟାପଟେନ୍ ୟଶ ଧୂଲଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ସେ ୧୦୦ ବଲର ସାମ୍ନା କରି ୧୧ ଚୌକା ସହ ୮୨ ରନର ଇନିଂସ୍ ଖେଳିଥିଲେ । ସେହିପରି କୌଶଲ ତାମ୍ବେ ୩୫, ଶେକ୍ ରଶିଦ୍ ୩୧, ନିଶାନ୍ତ ସିନ୍ଧୁ ୨୭ ଓ ରାଜ ବାୱା ୧୩ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାଥ୍ୟୁ ବୋଷ୍ଟ ୩ଟି, ଆଫିୱେ ମିୟାଣ୍ଡା ଓ ଡିୱାଲ୍ଡ ବ୍ରେଭିସ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ । ୨୩୩ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବ୍ରେଭିସ୍ ଓ ଭାଲେଣ୍ଟାଇନ୍ କିଟାଇମ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନର ଭାଗିଦାରୀ କରିଥିଲେ । କିଟାଇମ୍ ୨୫ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ବ୍ରେଭିସ୍ ଓ କ୍ୟାପଟେନ୍ ଜର୍ଜ ଭାନ୍ ହୀର୍ଡାନ ଚତୁର୍ଥ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଦଳର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା । ବ୍ରେଭିସ୍ ସର୍ବାଧିକ ୬୫ ରନ୍ କରିଥିବା ବେଳେ ହୀର୍ଡାନ୍ ୩୬, ଆଣ୍ଡିଲେ ସାଇମଲାଇନ୍ ୬ ଓ ଲିଆନ୍ ଅଲ୍ଡର୍ ଅପରାଜିତ ୧୭ ରନ୍ କରିଥିଲେ । ଭାରତ ପକ୍ଷରୁ ରାଜ ବାୱା ୪୭ ରନ୍ ଦେଇ ୪ଟି ଓ ରାଜବର୍ଦ୍ଧନ ହଙ୍ଗରଗେକର ଗୋଟିଏ ୱିକେଟ୍ ହାସଲ କରିଥିଲେ । ଆସନ୍ତା ୧୯ ତାରିଖରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବ ।