ପରିଶୋଧ କରିପାରିଲେନି ଋଣ; ରାଇସ୍ ମିଲ ସିଲ୍ କଲା ବ୍ୟାଙ୍କ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜନୈକ ରାଇସମିଲ୍ ମାଲିକ ବାଲେଶ୍ୱର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧କୋଟି ୫୩ଲକ୍ଷ ଟଙ୍କା ଋଣ ଆଣିଥିଲେ । ମାତ୍ର ଋଣ ପରିଶୋଧରେ ଖିଲାପି ପାଇଁ ବ୍ୟାଙ୍କ ପକ୍ଷରୁ ବହୁବାର ନୋଟିସ ଜାରି କରିଥିବା ବେଳେ ସମ୍ପୃକ୍ତ ମିଲ୍ର ଖିଲାପ ଋଣ ପରିଶୋଧ କରି ନ ପାରିବାରୁ ଗୁରୁବାର ବ୍ୟାଙ୍କ ପକ୍ଷରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉକ୍ତ ରାଇସ ମିଲ୍ଟିକୁ ବ୍ୟାଙ୍କ ନିଜ ଅଧୀନକୁ ଆଣିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ବ୍ଲକର ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁର କରୁଣାକର ପୃଷ୍ଟିଙ୍କ “ମହାଲକ୍ଷ୍ମୀ ରାଇସମିଲ୍”ର ଏପରି ଏକ ଘଟଣା ଘଟିଛି । ରାଇସ୍ ମିଲ୍ର ମାଲିକ କରୁଣାକର ପୃଷ୍ଟି ବାଲେଶ୍ୱର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଉକ୍ତ ରାଇସ ମିଲ୍ ନାମରେ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲା ବେଳେ ସୁଧ ଓ ମୂଳ ମିଶାଇ ପ୍ରାୟ ୧କୋଟି ୭୦ଲକ୍ଷ ଟଙ୍କା ହୋଇଛି । ଏନେଇ ବ୍ୟାଙ୍କ ପକ୍ଷରୁ ବହୁବାର ଖିଲାପି ଋଣ ପରିଶୋଧ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ଜାରି କରାଯାଇଥିଲା ବେଳେ ମିଲ୍ର ସତ୍ତ୍ୱାଧିକାରୀ ଶ୍ରୀ ପୃଷ୍ଟି ଖିଲାପି ଋଣ ପରିଶୋଧ କରି ନ ଥିଲେ । ଶେଷରେ ଗୁରୁବାର ବ୍ୟାଙ୍କ ପକ୍ଷରୁ ନୀଳଗିରି ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଥିବା ବେଳେ ପୋଲିସ ଫୋର୍ସ ନେଇ ଉକ୍ତ ମିଲ୍କୁ ବ୍ୟାଙ୍କ ନିଜ ଅଧିନକୁ ଆଣିଛନ୍ତି । ଫଳରେ ସମ୍ପୃକ୍ତ ମିଲ ପରିସରଟି ଶ୍ରୀପୃଷ୍ଟିଙ୍କ ସତ୍ତ୍ୱରୁ ବ୍ୟାଙ୍କ ହାତକୁ ଯାଇଛି । ଏ ନେଇ ଶ୍ରୀ ପୃଷ୍ଟିଙ୍କ ପ୍ରତିକ୍ରିୟା ନେବା ପରେ ସେ ବ୍ୟାଙ୍କରୁ ଋଣ ଆଣିଥିବା ସ୍ୱୀକାର କରିଥିଲେ ।