ବାଲେଶ୍ୱରରେ ୮୬ତମ ଓଡ଼ିଶା ଦିବସ-୨୦୨୧ ପାଳିତ
ଭାଷା, ସାହିତ୍ୟ, କଳା, ଭାସ୍କର୍ଯ୍ୟ ହିଁ ଆମ ଓଡ଼ିଶାର ପରିଚୟ
ବାଲେଶ୍ୱର : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୮୬ତମ ଓଡିଶା ଦିବସକୁ ଜିଲ୍ଲାସ୍ତରରେ କୋଭିଡ୍ କଟକଣା ନିୟମ ଆଧାରରେ ପାଳନ କରାଯାଇଛି । ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଜରିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପୂର୍ବକ ସହର ପରିକ୍ରମା କରାଯାଇଥିଲା । ସକାଳ ୮ଘଟିକା ୩୦ମିନିଟ୍ରେ ଅତିଥିମାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ପ୍ରମୁଖ ଶାନ୍ତିକାନନ ଓ ଫକୀରମୋହନ ଗୋଲେଇରେ ଥିବା ଫକୀରମୋହନ, ଫାଣ୍ଡି ଛକ ଓ ଡିଆଇସି ଛକରେ ଥିବା ବିଜୁ ପଟ୍ଟନାୟକ, ଶହୀଦ ପାର୍କରେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ପାର୍କରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଗାନ୍ଧୀ ସ୍ମୃତି ଭବନରେ ସାଧାରଣ ସଭା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି, ସଦର ଓ ରେମୁଣା ବିଧାୟକ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିଲେ । ମହାପୁରୁଷମାନଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ, ଦୀପ ଅର୍ପଣ ପୂର୍ବକ ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିରର କଳାକାରମାନଙ୍କ ଦ୍ୱାରା ଉଦଘାଟନୀ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ବିଶେଷ କରି ଓଡିଶା ଦିବସ ପାଳନର ଆଭିମୁଖ୍ୟ, ଓଡିଆ ଭାଷାର ସୁରକ୍ଷା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ରଖିଥିବା ଶ୍ରେଷ୍ଠ ବିନ୍ଧାଣୀମାନଙ୍କ ତ୍ୟାଗ ଆଦି ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବକ୍ତବ୍ୟ ପ୍ରସଙ୍ଗରେ ଓଡିଆ ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟର ଗାଥା ବଖାଣିବା ସହ ବର୍ତମାନ ଓଡିଶା ବିକାଶର ଚିତ୍ର ଉପସ୍ଥାପନ କରି ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରିଶେଷରେ ୨୮ଜଣ କରୋନା ଯୋଦ୍ଧାମାନଙ୍କୁ ମାନପତ୍ର ଓ ସ୍କୁଲ ଓ କଲେଜ ସ୍ତରରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ବଂଟନ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।