ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ ୟୁକ୍ରେନ୍, ଚାରିଆଡୁ କରିବୁ ଆକ୍ରମଣ : ରୁଷ
ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ସଂକଟ ଆଗାମୀ ଦିନରେ ଆହୁରି ଭୟଙ୍କର ହୋଇପାରେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ୍କୁ ଚାରିଆଡୁ ଆକ୍ରମଣ କରିବ। ରୁଷିଆ କହିବା ଅନୁସାରେ ୟୁକ୍ରେନ ସହିତ ଆଲୋଚନା କରିବାକୁ ଚାହୁଁଛି। କିନ୍ତୁ ୟୁକ୍ରେନ୍ ଏଥିରେ ସହମତି ହେଉନାହିଁ। ତେଣୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ରୁଷିଆ ପ୍ରସ୍ତୁତ ଅଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ନିଜର ଆକ୍ରମଣ ଶୈଳୀକୁ ଅଧିକ କରିବା ପାଇଁ ସେନାକୁ ଆଦେଶ ଦେଇଛି। ୟୁକ୍ରେନକୁ ଚାରିଆଡୁ ଆକ୍ରମଣ କରିବା ପାଇଁ କହିଛି। କିଭ୍ ନିକଟରେ ବେଲାରୁଷ ଠାରେ ହେବାକୁ ଥିବା ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ସୂଚନା ଯେ, ୟୁକ୍ରେନକୁ ରୁଷିଆ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବରେ କୁହାଯାଇଥିଲା ଯେ, ବେଲାରୁଷରେ ରୁଷର ଏକ ପ୍ରତିନିଧି ମଣ୍ଡଳୀ ପଠାଯିବ। କିନ୍ତୁ ଏବେ ରୁଷିଆ ଦାବି କରିଛି ଯେ, ଏହି ପ୍ରସ୍ତାବକୁ ୟୁକ୍ରେନ ସ୍ୱୀକାର କରିନାହିଁ। ଅନ୍ୟପଟରେ ରୁଷିଆର ବୟାନକୁ ନେଇ ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ବିପଦର ଘଣ୍ଟି ବାଜି ସାରିଛି। ରୁଷିଆର ସେନା ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଛି। ଉପର ସ୍ତରରୁ ଆଦେଶ ମିଳିଥିବାରୁ ରୁଷୀୟ ସେନା ଅଧିକ ଆକ୍ରମଣାତ୍ମକ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ରହିଛି।