ଆଧାର କାର୍ଡରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ବଦଳାଇବାକୁ ସୀମିତ ସୁଯୋଗ ଦେଲା ୟୁଆଇଡିଏଆଇ, ଜାଣନ୍ତୁ ନିୟମ
ନୂଆଦିଲ୍ଲୀ : ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଏହା ବିନା ଅନେକ କାର୍ଯ୍ୟ ଅଟକିଯାଏ । ଏଥି ସହିତ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟରେ ଏହାର ଆବଶ୍ୟକତା ରହିଛି । ଏପରି ପରିସ୍ଥିତିରେ ଏହା ବିଷୟରେ ସର୍ବଦା ଅପଡେଟ୍ ରହିବା ଜରୁରୀ । ଅନେକ ଥର ଏହା ଘଟେ ଯେ କିଛି ଡିଟେଲ୍ସ ବଦଳିଯାଏ ଓ କାର୍ଡରେ ରେକର୍ଡ ଥିବା ସବିଶେଷ ତଥ୍ୟ ପୁରୁଣା ହୋଇଯାଏ, ଏ କ୍ଷେତ୍ରରେ ସେମାନଙ୍କୁ ଅପଡେଟ୍ କରିବାକୁ ପଡେ । ଉଦାହରଣ ସ୍ୱରୂପ, ଯଦି କେହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ତେବେ ସେ ତାଙ୍କ ଆଧାର କାର୍ଡରେ ନିଜର ଠିକଣା ପରିବର୍ତ୍ତନ କରିବାକୁ ଚାହାଁନ୍ତି । କିଛି ଲୋକ ସେମାନଙ୍କର ନାମର ବନାନ କିମ୍ବା ଜନ୍ମ ତାରିଖ ମଧ୍ୟ ପରିବର୍ତ୍ତନ କରନ୍ତି ଏବଂ ଏହାକୁ ଆଧାର କାର୍ଡରେ ରେକର୍ଡ କରିବାକୁ ଚାହାଁନ୍ତି । ଏହି ପରିସ୍ଥିତିରେ ଆପଣ ଆପଣଙ୍କର ଆଧାର କାର୍ଡରେ କେତେଥର ପରିବର୍ତ୍ତନ କରିପାରିବେ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା ୟୁଆଇଡିଏଆଇ ଆଧାର କାର୍ଡରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ବଦଳାଇବାକୁ ସୀମିତ ସୁଯୋଗ ଦେଇଥାଏ ।
ଆଧାରରେ ଆପଣ କେତେଥର ପରିବର୍ତ୍ତନ କରିପାରିବେ ନାମ :
ୟୁଆଇଡିଏଆଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଉପଭୋକ୍ତା ଆଧାରରେ କେବଳ ଦୁଇଥର ତାଙ୍କ ନାମ ପରିବର୍ତ୍ତନ କରିପାରିବେ । ୟୁଆଇଡିଏଆଇ ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରିସାରିଛି । ଅର୍ଥାତ ଯଦି ଆପଣ ଆପଣଙ୍କର ଆଧାର (Aadhar Card) ରେ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ କେବଳ ଦୁଇଥର ଆପଣ ଏହି ପରିବର୍ତ୍ତନ କରିବାର ସୁଯୋଗ ପାଇବେ । ଏହା ପରେ ଆପଣ ଆଧାର କାର୍ଡରେ ଆପଣଙ୍କ ନାମ ସମ୍ବନ୍ଧରେ କୌଣସି ପରିବର୍ତ୍ତନ କରିବାକୁ ସମର୍ଥ ହେବେ ନାହିଁ ।
ଆଧାରରେ କେତେଥର ପରିବର୍ତ୍ତନ କରାଯାଇପାରିବ ଜନ୍ମ ତାରିଖ :
କୌତୁହଳର ବିଷୟ, ଜନ୍ମ ତାରିଖ ହେଉଛି ଏକମାତ୍ର ସୂଚନା ଯାହା କେବେ ପରିବର୍ତ୍ତନ ହୁଏ ନାହିଁ । ଆଧାର କାର୍ଡଧାରୀମାନେ ସେମାନଙ୍କର ନାମ ପରି ଆଧାର କାର୍ଡରେ ଜନ୍ମ ତାରିଖ ପରିବର୍ତ୍ତନ କରିପାରିବେ ନାହିଁ । ଡାଟା ଏଣ୍ଟ୍ରି ସମୟରେ କୌଣସି ତ୍ରୁଟି ହେଲେ ଆଧାରରେ ଜନ୍ମ ତାରିଖ ଅପଡେଟ୍ କରିବାର ପରିସ୍ଥିତି ନିଶ୍ଚିତ ଭାବରେ ଉପୁଜିପାରେ । ତେଣୁ, ଆପଣ ଜନ୍ମ ତାରିଖ ଆଧାର କାର୍ଡରେ କେବଳ ଥରେ ଅପଡେଟ୍ କରିପାରିବେ ।
ଠିକଣା ଓ ଲିଙ୍ଗ କେତେଥର ଅପଡେଟ୍ ହୋଇପାରିବ :
ଆଧାର କାର୍ଡଧାରୀମାନେ ମଧ୍ୟ ସେମାନଙ୍କ କାର୍ଡରେ ଠିକଣା ଅପଡେଟ୍ କରିପାରିବେ, କିନ୍ତୁ ଏହି ସୂଚନା କେବଳ ଥରେ ଅପଡେଟ୍ ହୋଇପାରିବ । ଅନ୍ୟ ପଟେ, ଯେତେବେଳେ ଲିଙ୍ଗ କଥା ଆସେ, ୟୁଆଇଡିଏଆଇ ମଧ୍ୟ କାର୍ଡଧାରୀଙ୍କୁ ତାଙ୍କ ଲିଙ୍ଗ ଅପଡେଟ୍ କରିବାର ବିକଳ୍ପ ଦେଇଥାଏ । ତଥାପି, ଠିକଣା ଓ ଜନ୍ମ ତାରିଖ ପରି କାର୍ଡଧାରୀ ଏହି ସୂଚନାକୁ କେବଳ ଥରେ ଅପଡେଟ୍ କରିପାରିବେ ।
ଆଧାର କାର୍ଡ ଅପଡେଟ୍ କରିବାକୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ୍ ଆବଶ୍ୟକ :
୧. ନାମ ପରିବର୍ତ୍ତନ ପାଇଁ ଭୋଟର ଆଇଡି କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ପରି ପରିଚୟ ପ୍ରୁଫ୍ ଡକ୍ୟୁମେଣ୍ଟ୍ ଦରକାର ।
୨. ଠିକଣା ଅପଡେଟ୍ କରିବା କ୍ଷେତ୍ରରେ ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପାସବୁକ୍, ରାସନ୍ କାର୍ଡ, ୱାଟର ବିଲ୍ ପରି ଠିକଣା ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ ।
୩. ଯେତେବେଳେ କି ଲିଙ୍ଗ ପରିବର୍ତ୍ତନ କ୍ଷେତ୍ରରେ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ଯଦି ଜଣେ ଉପଭୋକ୍ତା ଜନ୍ମ ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ସେମାନେ ସେମାନଙ୍କର ଜନ୍ମ ପ୍ରମାଣପତ୍ର, ପାସପୋର୍ଟ କିମ୍ବା କୌଣସି ବିଶ୍ୱବିଦ୍ୟାଳୟର ମାର୍କ ସିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିପାରିବେ ।