ସମୁଦ୍ରରେ ଖସିପଡ଼ିଲା ଦୁର୍ଘଟଣାଗ୍ରସ୍ତ ଆମେରିକୀୟ ସେନା ହେଲିକପ୍ଟର୍
ୱାସିଂଟନ : ‘ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍’ରୁ ଉଡ଼ାଣ ଆରମ୍ଭ କରିଥିବା ଯୁକ୍ତରାଷ୍ଟ୍ର ସେନାର ଗୋଟାଏ ହେଲିକପ୍ଟର୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ସାନ୍ ଡିଏଗୋ ନିକଟବର୍ତ୍ତୀ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା କଥା ବିବୃତି ଦେଇ ଆମେରିକୀୟ ନୌସେନା କହିଛି। ହେଲିକପ୍ଟର୍ ଆରୋହୀମାନଙ୍କୁ ଖୋଜି ପାଇବା ଲାଗି ସାନ୍ ଡିଏଗୋ ଉପକୂଳ ମଧ୍ୟସ୍ଥ ସମୁଦ୍ରରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା କଥା ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ଟୁଇଟ୍ କରି ‘ଦି ପେସିଫିକ୍ ଫ୍ଲିଟ୍’ କହିଛି, ‘ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍’ରୁ (ସିଭିଏନ୍୭୨) ଉଡ଼ାଣ ଆରମ୍ଭ କରିଥିବା ଗୋଟାଏ ‘ଏମ୍ଏଚ୍-୬୦ଏସ୍’ ହେଲିକପ୍ଟର୍ ନିୟମିତ ଉଡ଼ାଣ ଅଭିଯାନ ଚଳାଇ ଥିବା ବେଳେ ଅଗଷ୍ଟ ୩୧ ତାରିଖ ଅପରାହ୍ଣ ୪:୩୦ରେ ସାନ୍ ଡିଏଗୋ ଉପକୂଳ ଠାରୁ ପ୍ରାୟ ୬୦ ନଟିକାଲ୍ ମାଇଲ୍ ଦୂର ସମୁଦ୍ର ମଧ୍ୟକୁ ଖସିପଡ଼ିଛି।
ଅନ୍ୟ ଏକ ଟୁଇଟ୍ରେ ସେ ଲେଖିଛି, ଏକାଧିକ ‘କୋଷ୍ଟ୍ ଗାର୍ଡ’, ‘ନେଭି ଏୟାର୍’ ଏବଂ ‘ସର୍ଫେସ୍ ଆସେଟ୍’ଦ୍ବାରା ତଲାସ ଓ ଉଦ୍ଧାର ଅଭିଯାନ ଚାଲିଛି। ସଦ୍ୟତମ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବ କଥା ‘ୟୁଏସ୍ ନେଭି ଥାର୍ଡ ଫ୍ଲିଟ୍’ କହିଛି। ଆହୁରି ୫ଜଣଙ୍କର ପତ୍ତା ମିଳୁ ନାହିଁ ବୋଲି ‘ଏନ୍ବିସି ୭ ସାନ୍ ଡିଏଗୋ’ ରିପୋର୍ଟ କରିଛି।