ଫକୀର ମୋହନ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗର ସଂସ୍କୃତ ପ୍ରଫେସର ଡ. ହରେକୃଷ୍ଣ ମିଶ୍ର ଭିତ୍ତି ପ୍ରବକ୍ତା ଭାବରେ ଯୋଗଦେଇ ବୈଦିକ ସଂସ୍କୃତି ପ୍ରକୃତରେ ଭାରତୀୟ ସଂସ୍କୃତିର ମୂଳ ସମ୍ପତ୍ତି, ଏଥିରେ ଏକ ମୁଲ୍ୟବୋଧ ଭିତ୍ତିକ ଜୀବନ ବଞ୍ଚିବାର ଶୃଙ୍ଖଳା ନିହିତ ରହିଛି ବୋଲି ପ୍ରକାଶ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ପ୍ରତିଭା ମଞ୍ଜରି ରଥ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ବୈଦିକ ସାହିତ୍ୟ ଓ ସଂସ୍କୃତିର ଶ୍ରେଷ୍ଠତା ତାର ସାମାଜିକ- ସାଂସ୍କୃତିକ ହିତ ସାଧନରେ ନିହିତ ଯାହା ଏକ ବୈଜ୍ଞାନିକ ସିଦ୍ଧାନ୍ତ ଭିତ୍ତିକ ଜୀବନ ଜୀଇଁବାର ପ୍ରେରଣା ଯୋଗାଇଥାଏ ବୋଲି ମତ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ପ୍ରଫେସର ସୁବାଷ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବେଦରେ ମଣିଷର ଉଭୟ ସ୍ଥୂଳ ଶରୀର ଓ ସୂକ୍ଷ୍ମ ଶରୀରର ରହସ୍ୟ ଉଲ୍ଲେଖ ରହିଛି ଏବଂ ଏହା ବେଶ୍ ବିଜ୍ଞାନ ସମ୍ମତ ବୋଲି ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଏହି ଆଲୋଚନାଚକ୍ରର ଲକ୍ଷ୍ୟ ଏବଂ ଉଦ୍ଧେଶ୍ୟ ସମ୍ପର୍କରେ ମତ ଦେଇ ବେଦ ଓ ବୈଦିକ ସଂସ୍କୃତି ପ୍ରକୃତରେ ଏକ ଉତ୍କୃଷ୍ଟ ଧରଣର ଜୀବନଯାପନର ମାର୍ଗ ଦର୍ଶିକା, ସୁବିଧାବାଦୀ ମଣିଷ ନିଜର ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ନିମିତ୍ତ ଏହାର ଶ୍ରେଷ୍ଠ ସିଦ୍ଧାନ୍ତଗୁଡ଼ିକକୁ ନିଜ ହିତରେ ଖଣ୍ଡନ ମଣ୍ଡନ କରିବା ଉଚିତ୍ ନୁହେଁ ବୋଲି ପ୍ରକାଶ କରିଥିଲେ ।
ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବୈଦିକ ସାହିତ୍ୟ ଓ ସଂସ୍କୃତିର ସ୍ୱରୁପ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମୟ ଖଣ୍ଡରେ ତାର ପ୍ରାସଙ୍ଗିକତା ରହିଛି ବୋଲି କହିବା ସହିତ ବୈଦିକ ମନ୍ତ୍ରର ପ୍ରଭାବଶାଳୀ ଶକ୍ତିକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମତ ଦେଇଥିଲେ । ଏହି ଅବସରରେ ଏହି ଆଲୋଚନା ଚକ୍ରର ସାରାଂଶ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ୫୦ରୁ ଅଧିକ ଗବେଷଣା ପ୍ରବନ୍ଧ ପାଠ ନିମିତ୍ତ ପଞ୍ଜିକୃତ ହୋଇଥିଲା । ପଣ୍ଡିତ ଗୋପାଳ ଚନ୍ଦ୍ର ବେଦ ଜ୍ୟୋତିର୍ବିଜ୍ଞାନ ବିଦ୍ୟାପୀଠ, ସାରୁପାଳ, ବାଲେଶ୍ୱରର ଆଚାର୍ଯ୍ୟ ଓ ବିଦ୍ୟାର୍ଥୀବୃନ୍ଦ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଉଚ୍ଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାର ଅଧ୍ୟାପିକା ଦେବସ୍ମିତା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂସ୍କୃତ ବିଭାଗର ସଂଯୋଜକ ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା ତଥା ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ସଂସ୍କୃତ ବିଭାଗର ଅଧ୍ୟାପକ ଡ. ଦେବାଶିଷ ମିଶ୍ର ଏହି ଆଲୋଚନା ଚକ୍ର ଆୟୋଜନରେ ସମ୍ପାଦକ ଭାବରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଅଧ୍ୟାପକ ଡ. ପ୍ରହ୍ଲାଦ ଖିଲା ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।