ଦୁଇଦିନିଆ ଶିଶୁ-କିଶୋର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ଗାନ୍ଧୀସ୍ମୃତି ଭବନ ପରିସରରେ ‘ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ’ର ଚତୁର୍ଥ ବାର୍ଷିକ ଉତ୍ସବ ନିମନ୍ତେ ଦୁଇଦିନିଆ ଶିଶୁ-କିଶୋର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ପୌରାଧ୍ୟକ୍ଷା ସବିତା ସାହୁ, ବରିଷ୍ଠ ଖବରଦାତା ମଧୁସୂଦନ ଦାସ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଲୁକ୍କାୟିତ ଶିଶୁ ପ୍ରତିଭା ବିକାଶ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି । ବିଭିନ୍ନ ବିଭାଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଏହିଭଳି କାର୍ଯ୍ୟକ୍ରମ ନିୟମିତ ଜାରି ରଖିବାକୁ ଅତିଥିମାନେ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।
ଟ୍ରଷ୍ଟର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଧାରଣ ସମ୍ପାଦକ ସମାଜସେବୀ ଉପେନ୍ଦ୍ର ନାଥ ପାତ୍ର, ସମ୍ପାଦକ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା, ସିଏ ସଞ୍ଜୀବ ନାୟକ ଓ ସମାଜସେବୀ ସଂଘମିତ୍ରା ମହାନ୍ତି, କୋଷାଧ୍ୟକ୍ଷ କିଶୋର ଦାସ, ବାର୍ତ୍ତା ସଂଯୋଜକ ଭାବଗ୍ରାହୀ ମହାନ୍ତି, ସିଏ ସଞ୍ଜୀବ ନାୟକ, ସିପ୍ରା ମହାପାତ୍ର, ଲମ୍ବୋଦର ନାୟକ, ବନ୍ଦନା ବିଶ୍ୱାଳ, ଆଶିଷ ସାହୁ, ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଟ୍ରଷ୍ଟର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଉପ-ସଭାପତି ଆଇନଜୀବୀ ରଘୁନାଥ ପ୍ରଧାନ ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଟ୍ରଷ୍ଟର ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତିଯୋଗିତାରେ ଜିଲାର ବିଭିନ୍ନ ଅଞ୍ଚଳରୁ ୩ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ପ୍ରଭୃତି ବିଭାଗରେ ଜୁନିୟର, ସବ-ଜୁନିୟର ଓ ସିନିୟର ବର୍ଗର ପ୍ରତିଯୋଗୀମାନେ ଭାଗ ନେଉଛନ୍ତି । ସନ୍ତୋଷ ଦେ, ଶୁଭେନ୍ଦୁ ଦାସ, ରାଜକିଶୋର କର, ଅଭିଜିତ ଦାସ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।