ରାଜ୍ୟପାଳଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ ୨ଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସୋମବାର ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଭ୍ ଇଅର୍ସ’ ଏବଂ ଲେଖକଙ୍କ ସ୍ୱରଚିତ ଓଡିଆ ପୁସ୍ତକ -“ଗାଁରେ ସେହି ସବୁ ଦିନ”। ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍’ ଦ୍ୱାରା ଏବଂ ଦ୍ୱିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି। ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ୟ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତଥିଲେ। ପ୍ରକାଶ ଥାଉକି, ଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବାବେଳେ ତାଙ୍କ ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ ୫ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ୨ଟି ଜନଜାତି କବିତା ସଂକଳନ, ୨ଟି ଅନୁବାଦ ଓ ୨ଟି ଅନ୍ୟାନ୍ୟ ରଚନା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି।