ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକସଭାରେ ୨ ବିଧେୟକ ପାରିତ
ନୂଆଦିଲ୍ଲୀ : ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ୨ ବିଧେୟକ ପାରିତ ହୋଇଛି । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ନାରାବାଜି ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ପରେ ଦୁଇ ବିଧେୟକ ଭାରତୀୟ ବିମାନପତନ ଆର୍ଥିକ ନିୟମାକ ପ୍ରାଧିକରଣ (ସଂଶୋଧନ) ବିଧେୟକ ୨୦୨୧ ଏବଂ ଅନ୍ତର୍ଜାତୀୟ ବନ୍ଦର ବିଧେୟକ- ୨୦୨୧ ପାରିତ ହୋଇଛି । ଏହି ଦୁଇ ବିଧେୟକ ପାରିତ ହେବା ପରେ ଗୃହର କାର୍ଯ୍ୟବାହି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ଆଜି ଲୋକସଭାର କାର୍ଯ୍ୟବାହି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା । ପ୍ରଥମେ ଅଧ୍ୟକ୍ଷ ଓମ୍ ବିର୍ଲା ବିଗତ ଦିନରେ ଗୃହର କାର୍ଯ୍ୟବାହି ସମୟରେ କେତେକ ସଦସ୍ୟଙ୍କ ଆପତିଜନକ ବ୍ୟବହାରକୁ ନିନ୍ଦା କରିଥିଲେ । ଏହା ଉପରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରି ନିଜର ପକ୍ଷ ରଖିବାକୁ ଚାହିଁଥିଲେ । ତେବେ ଅଧ୍ୟକ୍ଷ ଶ୍ରୀ ବିର୍ଲା ଅଧିର ରଞ୍ଜନଙ୍କୁ ପ୍ରଶ୍ନ କରିଥିଲେ ଯେ, ଗତ ବୁଧବାର ଗୃହରେ ଘଟିଥିବା ଘଟଣାକୁ କଣ ଆପଣ ସଂସଦୀୟ ମର୍ଯ୍ୟାଦା ବୋଲି ସ୍ୱୀକାର କରିବେ । ଆସନର ଅବମାନନା କରିବା ଆମର ସଂସଦୀୟ ପରମ୍ପରାର ବିରୋଧୀ ଅଟେ । ଆଜି ଗୃହର କାର୍ଯ୍ୟବାହି ପ୍ରଥମେ ୧୧ଟା ୩୦ ରେ, ପରେ ୧୨ଟାରେ ଏବଂ ପରେ ୧୨ଟା ୩୦ ରେ ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା । ଅପରାହ୍ନ ୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଏହି ଦୁଇ ବିଧେୟକ ପାରିତ ହୋଇଛି । ଏବଂ ଗୃହର କାର୍ଯ୍ୟବାହି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।