ଧୋନୀଙ୍କ ଆକାଉଣ୍ଟରୁ ‘ବ୍ଲୁ ଟିକ୍’ ଉଠାଇ ନେଲା ଟ୍ୱିଟର
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ନେଲା ଟ୍ୱିଟର। ତାଙ୍କ ଆକାଉଣ୍ଟ ସସପେଣ୍ଡ ହୋଇନଥିଲେ ବି ବ୍ଲୁ ଟିକ୍ ହଟିଯାଇଛି। ଧୋନୀଙ୍କ ଟ୍ଵିଟରରେ ସେତେଟା ସକ୍ରିୟ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସର୍ବଦା ତାଙ୍କ ନାମ ଚର୍ଚ୍ଚାରେ ଥାଏ। ଟ୍ଵିଟରରେ ତାଙ୍କର ପାଖାପାଖି ୮.୨ ମିଲିୟନ ଅନୁଗାମୀ ଅଛନ୍ତି। ଧୋନୀଶେଷ ଥର ପାଇଁ ଗତ ଜାନୁଆରୀ ୮ରେ ଟ୍ଵିଟ୍ କରିଥିଲେ। ତେଣୁ ଏହାକୁ ଆଖି ଆଗରେ ରଖି ଟ୍ୱିଟର ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ଉଠାଇ ନେଇଥିବା ଜଣାପଡିଛି ।
ସୂଚନା ଯେ, ଟ୍ୱିଟର ଭେରିଫିକେସନ ପଲିସି ମୁତାବକ ଯଦି କୌଣସି ବ୍ୟକ୍ତି ନିଜର ଆକାଉଣ୍ଟ ବଦଳାନ୍ତି ତେବେ ବ୍ଲୁ-ଟିକ୍ ହଟାଇଦିଆଯାଏ । ସେହିପରି ୬ ମାସ ଧରି ଲଗାତାର ଜଣକ ଆକାଉଣ୍ଟ ନିଷ୍କ୍ରିୟ ରହିଲେ ମଧ୍ୟ ଟ୍ୱିଟର ସେହି ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦେଇଥାଏ । ତେଣୁ ଏହି କାରଣରୁ ଧୋନୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦିଆଯାଇଥିବା ଅନୁମାନ କରାଯାଉଛି । ଧୋନୀ ଅନ୍ୟ କ୍ରିକେଟରଙ୍କ ଭଳି ଟ୍ୱିଟରରେ ସେତେଟା ସକ୍ରିୟ ନଥାନ୍ତି । ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ସେ ଲଗାତାର ପୋଷ୍ଟ ସେଆର୍ କରିଥାନ୍ତି । ନିକଟରେ ଧୋନୀଙ୍କ ନୂଆ ହେୟାରଷ୍ଟାଇଲ ଫଟୋ ମଧ୍ୟ ଚର୍ଚ୍ଚାରେ ଥିଲା । ତା ସହିତ ଧୋନୀ ତାଙ୍କ ଝିଅ ଓ କାମ କରୁଥିବା ବେଳର ଅନେକ ଫଟୋକୁ ନିଜର ଆକାଉଣ୍ଟରେ ସେଆର୍ କରିଥାନ୍ତି । ଯାହାକୁ ଲୋକମାନେ ସୋସିଆଲ୍ ମିଡିଆରେ ବେଶ ପସନ୍ଦ କରିଛନ୍ତି ।