ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ଟ୍ୱିଟର
ମୁମ୍ଵାଇ : ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ଟ୍ଵିଟର । ଟ୍ୱିଟରରେ ଜାରି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଆଇନଗତ ଦାବିରେ ବନ୍ଦ କରି ଦିଆଯାଇଛି। ଗାଇଡଲାଇନ ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ କିମ୍ବା ସରକାରୀ ଚାହିଦା ପରି ବୈଧ ଆଇନଗତ ଚାହିଦା ଉପରେ ଆକାଉଣ୍ଟକୁ ଅବରୋଧ କରିବାକୁ ପଡିବ।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା, କାନାଡା ଇତ୍ୟାଦି ଅନ୍ୟ ଦେଶରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଆକ୍ଟିଭ୍ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କିମ୍ବା ପାକିସ୍ତାନର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଖୋଲିବା ପରେ ସେଠାରେ ଲେଖାଯାଇଛି- ଭାରତରେ ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି।
ଏଏନଆଇ ରିପୋର୍ଟ ଅନୁଯାୟୀ, ଏହା ହେଉଛି ତୃତୀୟ ଥର ପାଇଁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ଭାରତରେ ଦେଖିବାକୁ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ଜୁଲାଇ ୨୦୨୨ରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଥିଲା। ହେଲେ ପରେ ଏହା ପୁନର୍ବାର ଦେଖାଯିବା ଆରମ୍ଭ କରିଥିଲା।