ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ
ବାରିପଦା : ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ ସହ ନିର୍ମାଣଧିନ ଓଭରବ୍ରିଜ ତଳକୁ ପଡି ଡ୍ରାଇଭରର ମୃତ୍ୟୁ । ମୃତକଙ୍କ ପରିଚୟ ଅସ୍ପଷ୍ଟ । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ଖାଲି ଥିଲା। ଖବର ପାଇବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଅନୁସାରେ, ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବମ୍ବେଛକ ନିକଟରେ ଓଭରବ୍ରିଜଟି ଅସମ୍ପୁର୍ଣ୍ଣଭାବେ ପଡିରହିଛି । ତେବେ ଆଜି(ଶନିବାର) ଏକ ଦ୍ରୁତଗାମୀ ଆସୁଥିବା ଏକ ଟ୍ରକଟି ରାସ୍ତା ଜାଣିନପାରି ଓଭରବ୍ରିଜ ତଳକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକଟି ଆସିବା ସମୟରେ କିଛି ଯୁବକ ଡ୍ରାଇଭରଙ୍କୁ ବାରଣ କରିବା ସତ୍ତ୍ବେ ମଧ୍ୟ ଡ୍ରାଇଭରଜଣକ ଶୁଣିପାରିନଥିଲେ । ଫଳରେ ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଗାଡି ସହ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତେବେ ଅସମ୍ପୂର୍ଣ ଓଭରବ୍ରିଜରେ ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ କୌଣସି ସାଇନ୍ ବୋର୍ଡ ଲାଗିନଥିଲା । ଠିକା ସଂସ୍ଥାର ବେପାରୁଆ ମନୋଭାବ ଯୋଗୁଁ ଆଜି ଅକାଳରେ ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି । ଯଦି ସାଇନ୍ ବୋର୍ଡ ଲାଗିଥାନ୍ତା ତାହେଲେ ହୁଏତ ଆଜି ମୂଲ୍ୟବାନ ଜୀବନ ବଞ୍ଚିଯାଇଥାନ୍ତା ।